• ରାଜ୍ୟ କମିଟିର ଗଞ୍ଜାମ ଗସ୍ତ, ସାଙ୍ଗଠନିକ ବୈଠକ ଓ କଳସ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ ।
• ଘର ବାହୁଡ଼ା ହେଲେ ଜିଲ୍ଲା ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ଏସ୍.ରାଣୀ ।
• ପୁଣି ରାଜ୍ୟ ସଭାପତିଙ୍କ ସମ୍ମୁଖରେ ଦୁଇ ଦଳୀୟ ଗୋଷ୍ଠୀଙ୍କ ମଧ୍ୟରେ ମୁହାମୁହିଁ ।
ବ୍ରହ୍ମପୁର, ୧୩/୯ (ଅଭିଜିତ କର): ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନ ମୋହନ ସାମଲ, ରାଜ୍ୟ ଉପ ସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥି, ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଆଜି ଗଞ୍ଜାମ ଗସ୍ତରେ ଆସିଥିଲେ। ଏନେଇ ସେମାନେ ଆଜି ବ୍ରହ୍ମପୁର ସର୍କିଟ ହାଉସ ଠାରେ ଜିଲ୍ଲାର ପ୍ରଭାରୀଙ୍କ ସମେତ ସମସ୍ତ ପଦାଧିକାରୀ ଓ ସଂଯୋଜକ ମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଜିଲ୍ଲାରେ ପ୍ରତ୍ୟେକ ବୁଥ୍ କମିଟି ଗଠନ କରିବା ସହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ଉପଲକ୍ଷେ ଅକ୍ଟୋବର ୩୧ ସୁଦ୍ଧା “ମୋ’ ମାଟି – ମୋ’ ଦେଶ” କାର୍ଯ୍ୟକ୍ରମ ବୁଥ୍ ସ୍ତରରେ କରିବାକୁ କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କଂଗ୍ରେସର ବରିଷ୍ଠ ନାରୀ ନେତ୍ରୀ ତଥା ବ୍ରହ୍ମପୁର ମହାନଗର ନିଗମ ୨୧ ନଂ ଓ୍ୱାର୍ଡ଼ରୁ କଂଗ୍ରେସ କର୍ପୋରେଟର ପ୍ରାର୍ଥୀନୀ ଏସ୍.ରାଣୀ ତାଙ୍କ ବହୁ ସମର୍ଥକଙ୍କ ସହ ରାଜ୍ୟ ସଭାପତି ମନ ମୋହନ ସାମଲଙ୍କ ଉପସ୍ଥିତରେ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ଏସ୍.ରାଣୀ ବିଜେପି ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ ଦାୟୀତ୍ଵ ତୁଲାଇ ଥିଲେ, ଦଳରେ ତାଙ୍କୁ ଅଣଦେଖା ହେଉଥିବା ସହ କର୍ମୀ ମାନଙ୍କୁ ଗୁରୁତ୍ଵ ଦିଆଯାଉ ନଥିବା ନେଇ ସେ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସାମଲ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ରାଜ୍ୟରେ ଯେଉଁ ବିଜୁ ଜନତା ଦଳର ଦୁର୍ନୀତି ଓ ଭ୍ରଷ୍ଟାଚାର ସରକାର ଚାଲିଛି ଏହାକୁ ପରିବର୍ତ୍ତନ କରିବା ଲାଗି ଲୋକେ ମନ ସ୍ଥିର କରି ସାରିଲେଣି, ଏଥର ୨୦୨୪ ରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ସେହିପରି ଲୋଚାପଡ଼ା ଠାରେ ଜିଲ୍ଲା ସମ୍ପାଦକ ତଥା ସରପଞ୍ଚ ଏଲ୍.ମହୋନ ଦାସ ଏବଂ ସମିତି ସଭ୍ୟ ଚଣ୍ଡୀ ପ୍ରସାଦ ସାହୁଙ୍କ ନେତୃତ୍ୱରେ ରାଜ୍ୟ ସଦସ୍ୟ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ, ଜଗଦଳପୁର ଗ୍ରାମ ଠାରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସଙ୍କ ତତ୍ତ୍ୱାବଧାନରେ ଥିବା ବୀର ସହିଦ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ନମନ ଜଣାଇ “ମୋ’ ମାଟି – ମୋ’ ଦେଶ” କଳସ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗ୍ରାମର ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରିଥିଲେ । ଏହି ଅବସରରେ ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର, ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ ଓ ଦଳର ପ୍ରମୁଖ ନେତା ଏବଂ କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇଥିଲେ।
ତେବେ ପୁଣି ରାଜ୍ୟ ସଭାପତିଙ୍କ ଗସ୍ତ ସମୟରେ ଦଳୀୟ କର୍ମୀଙ୍କ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକ ପ୍ରକାର ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ କିଛି ଦିନ ତଳେ ରାଜ୍ୟ ସଭାପତିଙ୍କ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଗସ୍ତ ସମୟରେ ଜିଲ୍ଲା ସଭାପତିଙ୍କ ନେତୃତ୍ବକୁ ବିରୋଧ କରି ଜିଲ୍ଲା ସଭାପତିଙ୍କ ଉପରେ ଦଳୀୟ କର୍ମୀଙ୍କ କାଳି ମାଡ଼ କରାଯାଇ ବିରୋଧ କରାଯାଇଥିବା ଦେଖିବାକୁ ମିଳିଥିବା ବେଳେ, ଆଜି ସେହିପରି ପୁଣି ଥରେ, ଦଳୀୟ ନେତା ଓ କର୍ମୀ ମାନଙ୍କୁ ଗୁରୁତ୍ଵ ଦିଆଯାଉ ନଥିବା ନେଇ ବିରୋଧ କରାଯାଇଥିଲା । ଏନେଇ ଏକ ପ୍ରଶ୍ନ ସୃଷ୍ଟି ହେଉଛି ଯେ, ବାରମ୍ବାର ରାଜ୍ୟ ସଭାପତିଙ୍କ ଗସ୍ତ ସମୟରେ ଜିଲ୍ଲା ସଭାପତିଙ୍କ ନେତୃତ୍ବକୁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବିରୋଧ କରି ବିରୋଧ ହେଇ ଆସୁଥିବା ବେଳେ, ରାଜ୍ୟ ସଭାପତିଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସହ କାର୍ଯ୍ୟାନୁଷ୍ଠନ ଶୁନ ରହିଥିବା ପରିଲିକ୍ଷିତ ହେଉଛି । ତେବେ ଏହିଭଳି ଦଳୀୟ କନ୍ଦଳ ଓ ଗୋଷ୍ଠୀ ମାନଙ୍କ ମଧ୍ୟରେ ଶତ୍ରୁତାକୁ ଦେଖିବା ପରେ ବି ରାଜ୍ୟ ସଭାପତି ଚୁପ୍ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।