ଅଟୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା : ଜଣେ ମୃତ ଓ 6 ଜଣ ଗୁରୁତର ଆହତ

ଟ୍ରକ ସହିତ ଅଟୋର ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଆହାତ ହୋଇଛନ୍ତି । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ରାସ୍ତାରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କଟକ ୪୨ ମଉଜାର ପ୍ରଭାତ ନାୟକ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଆଜି ସକାଳେ କଟକ ସଦର ଥାନା ଅନ୍ତର୍ଗତ ୪୨ ମୌଜା ଗ୍ରାମର କବିତା ନାୟକଙ୍କ ପୁଅ ଝିଅ ବୋହୁ ନାତି ନାତୁଣୀମାନଙ୍କୁ ନେଇ ନୟାଗଡା ଜିଲ୍ଲା ଗଣିଆ ଗ୍ରାମକୁ ଏକ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଏକ ଅଟୋରେ ଯାଉଥିଲେ । ଏହି ସମୟରେ ପାଞ୍ଚଗାଁ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏହାସହ ଅଟୋରେ ଥିବା ଗୁରୁତରଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରଭାତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଅଟୋ ଓ ଟ୍ରକ୍‌କୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।