ଆଜି ନୂଆଖାଇ: ପିଠାପଣାରେ ମହକୁଛି ପଶ୍ଚିମ ଓଡିଶାର ପ୍ରତି ଘର

ଆଜି ହେଉଛି ନୂଆଁଖାଇ । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ଏହି ପର୍ବ ପାଳନ କରାଯାଏ । ଓଡ଼ିଶାରେ ସାଧାରଣତଃ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ଓଡ଼ିଶାରେ ବିଭିନ୍ନ ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ସବୁ ପର୍ବକୁ ବେଶ ଧୂମଧାମରେ ପାଳନ କରିଥାନ୍ତି । ସେହିପରି ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ । ନୂଆଁଖାଇ ହେଉଛି ଏକ କୃଷିଭିତ୍ତିକ ପର୍ବ । ଓଡ଼ିଶାରେ ବାସ କରୁଥିବା ଅଧିକାଂଶ ଲୋକଙ୍କର ଜୀବିକା ହେଉଛି କୃଷି । ଏହି ଦିନରେ ଉତ୍ପାଦ ହୋଇଥିବା ଶସ୍ୟରେ ବିଭିନ୍ନ ଅନ୍ନ ବା ପ୍ରସାଦ ପ୍ରସ୍ତୁତ କରି ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରାଯାଏ । ଇଷ୍ଟ ଦେବାଦେବୀଙ୍କ ପାଖରେ ଭୋଗ ହୋଇସାରିଲା ପରେ ଏହି ପ୍ରସାଦ ବା ଭୋଗକୁ ସମସ୍ତେ ମିଳିମିଶି ଖାଇଥାନ୍ତି । ନୂଆ ଖାଇବା ଖାଇ ସାରିବା ପରେ ସମସ୍ତେ ଗୁରୁଜନମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇ ଥାଆନ୍ତି ।

ପଶ୍ଚିମ ଓଡିଶାର ଲୋକପ୍ରିୟ ନାଚ ଡାଲଖାଇ, ରସରକେଳି, ମାଇଲାଜଡ଼ରେ ଗାଁ ଦାଣ୍ଡର ଶୋଭାକୁ ଦ୍ବିଗୁଣିତ କରିଥାଏ । ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲା ସମେତ କୋରାପୁଟର କେତେକ ଅଞ୍ଚଳ ଏବଂ ଛତିଶଗଡ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏହି ପର୍ବକୁ ସମସ୍ତେ ମନଖୁସିରେ ପାଳନ କରିଥାନ୍ତି । ନୂଆଁଖାଇ ପର୍ବକୁ ପଶ୍ଚିମ ଓଡ଼ିଶାର ଲୋକମାନେ ବହୁତ ଅପେକ୍ଷାର ସହିତ ଅନେଇବସିଥାନ୍ତି । ଘରେ ଘରେ କ୍ଷୀରି, ପିଠାପଣାର ବାସ୍ନା ମନକୁ ଆହୁରି ଆନନ୍ଦିତ ଓ ପ୍ରଫୁଲ୍ଲିତ କରିଦେଇଥାଏ । ସମସ୍ତେ ଏହି ପର୍ବକୁ ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରିଥାନ୍ତି ।