ଆଜି ସପ୍ତପୁରୀ ଅମାବସ୍ୟା, ଶ୍ରୀଜିଉଙ୍କ ପାଖରେ ଲାଗି ହେବ ସପ୍ତପୁରୀ ଭୋଗ

ଆଜି ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବୋଲି କୁହାଯାଇଥାଏ। ଆଜିର ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଭଗବାନ ଶ୍ରୀଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗି ହୋଇଥାଏ । ଆଜି ଏହି ସପ୍ତପୁରୀ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉ ତିନି ବାଡ଼ରେ ବେଶ ହୋଇଥାନ୍ତି । ତଢ଼ାଉ ୬ ମୂର୍ତ୍ତି ଲାଗି ହେବା ପରେ ଗୋପାଳ ବଲ୍ଲଭ ସମ୍ପନ୍ନ ହୋଇଥାଏ । ଏହାପୂର୍ବରୁ ରୋଷ ଘରେ ସପ୍ତପୁରୀ ପ୍ରସ୍ତୁତ ହୋଇଥାଏ ଭୋଗ ଉପରେ ଶଙ୍ଖ ଚକ୍ର ହଳ ମୂସଳ ଦଡକୀ ପିଠା ଉପରେ ପ୍ରସ୍ତୁତ ହୋଇଥାଏ । ତତ୍ପରେ ପାଣି ପଡ଼ି ଟେରା ବନ୍ଧା ହୋଇ ସକାଳ ଧୂପ ସହ ସାତ ପୁରି ଭୋଗ ତାଟ ମଧ୍ୟ ରୋଷରୁ ଘଣ୍ଟ , ଛତ୍ର , କାହାଳୀ ସହ ତଳିଛ , ପ୍ରଧାନୀ ପଟୁଆରରେ ଛାମୁକୁ ଆସିଥାଏ ।

ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପଣ୍ଡା ଷୋଡ଼ଶ ଉପଚାରରେ ମଣୋହି କରାଇଥାନ୍ତି । ଭିତରେ ଆଳତୀ ବଢ଼ିବା ପରେ ପଣ୍ଡା , ପତି ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରିଥାନ୍ତି । ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ପୂଜାନୀତି ସହ ଆଜି ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗରରେ ବିଜେ କରିବେ । ଗତକାଲି ଅଠରନଳା ନିକଟରେ ଅବସ୍ଥିତ ମା’ ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଚତୁଃପାର୍ଶ୍ୱ ବୁଲି ତାଡଗୁଡିକୁ ରୋଷ ବେହେରଣରେ ରଖାଯାଇଥିଲା। ଗତକାଲି ସନ୍ଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇଥିଲେ। ଏହାପରେ ଆଜି ଶ୍ରୀମନ୍ଦିରରେ ଆୟୋଜିତ ହେବ ସପ୍ତପୁରୀ ଅମାବାସ୍ୟା ।