ଇଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ଶେଷ କରିବାକୁ ଚାହୁଛି: ମୋଦୀ

ସନାତନ ଧର୍ମ ସମ୍ପର୍କରେ ଡିଏମ୍‌କେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଆପତ୍ତିଜନକ ମନ୍ତବ୍ୟ ଦେବାପରେ ଏହାକୁ କେନ୍ଦ୍ରକରି ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସଂପ୍ରତି ପ୍ରଚାର ଅଭିଯାନରେ ମଧ୍ୟପ୍ରଦେଶ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ନେଇ ବିରୋଧୀ ଦଳଗୁଡିକୁ ଟାର୍ଗେଟ କରିଛନ୍ତି । ଗୁରୁବାର ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ମୋଦୀ କହିଛନ୍ତି ଯେ ସନାତନ ଧର୍ମକୁ ଲୋପ କରିବାକୁ ‘ଇଣ୍ଡିଆ’ ମେଣ୍ଟ ଚକ୍ରାନ୍ତ କରୁଛି । ନିକଟରେ ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ଆୟୋଜିତ ହୋଇଥିବାବେଳେ ସେମାନେ ଏଭଳି ଏକ ନକରାତ୍ମକ ରଣନୀତି ଆପଣେଇଥିବା ମୋଦୀ ଆକ୍ଷେପ କରିଛନ୍ତି । ଯେଉଁ ସନାତନ ଧର୍ମ ଆଜକୁ ହଜାର ହଜାର ବର୍ଷ ଧରି ଭାରତବାସୀଙ୍କୁ ଏକାଠି କରିଛି, ତାହାକୁ ଧ୍ୱଂସ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି ମୋଦୀ କହିଛନ୍ତି । ଏହି ମର୍ମରେ ମୋଦୀ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଉଦାହରଣ ଦେଇଛନ୍ତି । ଦେଶକୁ ସ୍ୱାଧୀନ କରିବାରେ ସବୁଠାରୁ ଅଧିକ ଭୂମିକା ଗ୍ରହଣ କରିଥିବା ମହାତ୍ମାଗାନ୍ଧୀ ମଧ୍ୟ ସନାତନ ଧର୍ମରେ ବିଶ୍ୱାସ କରୁଥିଲେ ।

ଆତତାୟୀ ଗୁଳିରେ ପ୍ରାଣ ହରାଇବା ସମୟରେ ଗାନ୍ଧୀଜୀଙ୍କ ମୁହଁରୁ ‘ହେ ରାମ’ ଶବ୍ଦ ହିଁ ବାହାରିଥିଲା । ଏପରିକି ସ୍ୱାମୀ ବିବେକାନନ୍ଦ ଏବଂ ଲୋକମାନ୍ୟ ତିଳକ ମଧ୍ୟ ସନାତନ ଧର୍ମ ଦ୍ୱାରା ଅନୁପ୍ରାଣିତ ହୋଇଥିବା ମୋଦୀ ଭାଷଣରେ ଉଲ୍ଲେଖ କରିଛନ୍ତି । ଦେଶକୁ ସ୍ୱାଧିନ କରିବାକୁ ଯେଉଁ ମହାରଥୀ ଫାଶୀଖୁଣ୍ଟରେ ଝୁଲିଥିଲେ, ସେମାନେ ସମସ୍ତେ ଭାରତ ମାତାର ସନ୍ତାନ ଥିଲେ । ତେଣୁ ଏଭଳି ଏକ ପ୍ରାଚୀନ ଧର୍ମକୁ ଅବମାନନା କରୁଥିବା ଏବଂ ଏହାର ମୂଳୋତ୍ପାଟନ ପାଇଁ ଚକ୍ରାନ୍ତ କରୁଥିବା ବ୍ୟକ୍ତି, ସଂଗଠନ ପ୍ରତି ସତର୍କ ରହିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି । ସନାତନ ଧର୍ମକୁ ଲୋପକରି ପୁଣି ଦେଶକୁ ହଜାର ବର୍ଷ ପୁରୁଣା ଦାସତ୍ୱ ପ୍ରଥାକୁ ଠେଲିଦେବାକୁ ଇଣ୍ଡିଆ ମେଣ୍ଟ ଚକ୍ରାନ୍ତ କରୁଥିବା ମୋଦୀ କହିଛନ୍ତି ।

ଏଭଳି ଶକ୍ତିଙ୍କୁ ମୁକାବିଲା କରିବାକୁ ପଡିବ ଏବଂ ସେମାନଙ୍କୁ କୌଣସି ପରିସ୍ଥିତିରେ ମୁଣ୍ଡ ଟେକିବାକୁ ଦିଆଯିବ ନାହିଁ ବୋଲି ମୋଦୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଭାରତକୁ ଭଲ ପାଉଥିବା ଏବଂ ପ୍ରାଚୀନ ସନାତନ ଧର୍ମକୁ ସମ୍ମାନ ଜଣାଉଥିବା ବ୍ୟକ୍ତି ଏ ଦିଗରେ ଆଗେଇ ଆସିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ଡିଏମ୍‌କେ (ତାମିଲନାଡୁରେ କ୍ଷମତାସୀନ) ଦଳର ମନ୍ତ୍ରୀ ଉଦୟନିଧି କିଛିଦିନ ପୂର୍ବେ କହିଥିଲେ ଯେ ସନାତନ ଧର୍ମ ହେଉଛି ଡେଙ୍ଗୁ, ମେଲେରିଆ ଏବଂ କରୋନା ସହ ସମାନ । ତେଣୁ ଏହାକୁ ବିଲୋପ କରାଯିବା ଉଚିତ । ଉଦୟନିଧିଙ୍କ ଏହି ଉକ୍ତିକୁ ତାଙ୍କ ପିତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ମଧ୍ୟ ସମର୍ଥନ ଜଣାଇଛନ୍ତି । ଅବଶ୍ୟ କଂଗ୍ରେସ, ଆପ୍‌, ତୃଣମୂଳ କଂଗ୍ରେସ ଭଳି ଇଣ୍ଡିଆ ମେଣ୍ଟ୍‌ର ଅନ୍ୟ ଅଂଶୀଦାର ଦଳ ଏଭଳି ବିବାଦୀୟ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛନ୍ତି । ମଧ୍ୟପ୍ରଦେଶ ଗସ୍ତକାଳରେ ମୋଦୀ ଏଠାରେ ୫୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମଧ୍ୟପ୍ରଦେଶ ପରେ ମୋଦୀ ଛତିଶଗଡ ଯାତ୍ରା କରିଥିବା ଜଣାପଡିଛି ।