ଏସିଆନ୍ ଗେମ୍ସ: ସ୍ୱର୍ଣ୍ଣ ଜିତିଲା ଭାରତୀୟ ମହିଳା କ୍ରିକେଟ ଟିମ୍, ଶ୍ରୀଲଙ୍କାକୁ ହରାଇ ରଚିଲା ଇତିହାସ

ଏସୀୟ ଗେମ୍ ୨୦୨୩ ର ମହିଳା କ୍ରିକେଟ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୧୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଏହା ପରେ ବୋଲରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ଭାରତ ଶ୍ରୀଲଙ୍କାକୁ ୨୦ ଓଭରରେ ୯୭ ସ୍କୋରରେ ସୀମିତ ରଖି ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି। ୧୮ ବର୍ଷୀୟ ଟିଟସ୍ ସାଧୁ ଭାରତ ପାଇଁ ବୋଲିଙ୍ଗରେ ସର୍ବାଧିକ ୩ ୱିକେଟ୍ ନେଇଛନ୍ତି । 

ଭାରତ ପକ୍ଷରୁ ସ୍ମୃତି ମନ୍ଧନା ସର୍ବାଧିକ ୪୬ ରନ କରିଥିଲେ ଯେଉଁଥିରେ ୪ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା ଏବଂ ଯେମିମା ୪୨ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୫ଟି ଚୌକା ସାମିଲ ଥିଲା । ଏହା ସହିତ ଭାରତ ୧୧୬ ରନ କରିବାରେ ସଫଳ ହୋଇଥିଲା । ଟିଟସ୍ ସାଧୁ ସର୍ବାଧିକ ୩ଟି ୱିକେଟ୍ ନେଇଥିଲାବେଳେ , ରାଜେଶ୍ୱରୀ ଗାଇକୱାଡ ୨ଟି ୱିକେଟ୍ ଏବଂ ଦୀପ୍ତି ଶର୍ମା, ପୂଜା ବସ୍ତ୍ରକାର, ଦେବୀକା ବୈଦ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଭାରତୀୟ ମହିଳାଙ୍କ ଚମତ୍କାର ବୋଲିଙ୍ଗ ବଳରେ ଶ୍ରୀଲଙ୍କାକୁ ୯୭ ସ୍କୋରରେ ସୀମିତ ରଖି ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି ଭାରତ ।