ଓଡ଼ିଶାକୁ ୨୪ ବର୍ଷର ଶାସନରେ କେବଳ ନିର୍ଯାତନା ମିଳିଛି – ପର୍ଯ୍ୟବେକ୍ଷକ ବାହିନୀପତି ।

• ମିଛୁଆ, ଅହଙ୍କାରୀ ଓ ଭ୍ରଷ୍ଟାଚାରୀ ସରକାରଙ୍କ ବିରୋଧରେ ଏହି ଭାରତ ଯୋଡ଼ ପଦଯାତ୍ରା – ରମେଶ ଜେନା ।

ବ୍ରହ୍ମପୁର, ୭/୯ (ଅଭିଜିତ କର): ଦେଶବାସୀଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଐତିହାସିକ “ଭାରତ ଯୋଡ଼” ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ଗୁରୁବାର ଏକ ବିଶାଳ ଜନ ଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ମାନ୍ୟବର ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ଏହି ପଦଯାତ୍ରା ବାପୁଜୀ ଆଶ୍ରମ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ପିଭିଏନ ପମ୍ପ ଠାରେ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରି ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ଥିବା ସ୍ବର୍ଗତ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ରାମଲୀଙ୍ଗେଶ୍ଵର ପାର୍କ ରୋଡ ପର୍ଯ୍ୟନ୍ତ ଯାଇ, ହନୁମାନ ମୂର୍ତ୍ତି ଠାରେ ଏକ ବିଶାଳ ଜନ ସମାବେଶ ସଭା ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରାରେ ଅତିଥି ରୂପେ କଂଗ୍ରେସର ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି ଯୋଗଦାନ କରିଥିବା ବେଳେ, ଜିଲ୍ଲା ଉପ ସଭାପତି ବିଜୟ କୁମାର ସାହୁ, ମହିଳା ସଭାନେତ୍ରୀ ବନିତା ପଣ୍ଡା, ପୀତବାସ ପଣ୍ଡା, ସୁବସିନି ପଟ୍ଟନାୟକ, ପଦ୍ମ ଚରଣ, ପ୍ରମୋଦ ଜେନା, ଭୋକାଲି ସେଠୀଙ୍କ ସମେତ ଅନ୍ୟ ପ୍ରମୁଖ ନେତା ମାନେ ମଞ୍ଚାସିନ ଥିଲେ ।

ଏହି ଅବସରରେ କଂଗ୍ରେସ ନେତା ମାନେ ନିଜ ନିଜ ବକ୍ତବ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କ ବିରୋଧରେ ଗର୍ଜନ କରିଥିବା ବେଳେ, ମଜଦୂର କଂଗ୍ରେସ ସଭାପତି ଶ୍ରୀ ପୀତବାସ ପଣ୍ଡା ନିଜ ବକ୍ତବ୍ୟରେ ଗରିବ ମଜଦୂର ଖଟଖିଆ ଲୋକଙ୍କ ପାଇଁ ଏହି ସରକାର କେବଳ ଜୀବନ ଓ ଜୀବିକା ନିର୍ବାହ ପାଇଁ କଷ୍ଟ ଓ ଯନ୍ତ୍ରଣା ହିଁ ଦେଇଛି ତା ଛଡ଼ା ଅନ୍ୟ କିଛି ଦେଇ ନାହିଁ ବୋଲି ମତ ଉପସ୍ଥାପନ କରିଥିଲେ। ସେହିପରି ପର୍ଯ୍ୟବେକ୍ଷକ ଶ୍ରୀ ବାହିନୀପତି ନିଜ ବକ୍ତବ୍ୟରେ ପ୍ରଶ୍ନ କରିଛନ୍ତି ଯେ, ୨୪ ବର୍ଷର ବିଜେଡି ଶାସନରେ ଓଡ଼ିଶା ପାଇଛି କଣ, ଏହି ରାଜ୍ୟ ନବୀନ ପଟ୍ଟନାୟକଙ୍କୁ ୬ ଥର ବିଧାୟକ କରିଥିବା ବେଳେ, ୫ ଥର ମୁଖ୍ୟମନ୍ତ୍ରୀ କରିଛି, ତେବେ ମୁଖ୍ୟମନ୍ତ୍ରୀ ଓଡ଼ିଆଙ୍କ ପାଇଁ କଣ କରିଛନ୍ତି । ୨୪ ବର୍ଷର ବିଜେଡି ଶାସନରେ ଓଡ଼ିଆ ପୁଅ କେବଳ ଶାସକଙ୍କ ନିର୍ଯାତନା ହିଁ ପାଇଛି, ଗଞ୍ଜାମ ଜିଲ୍ଲାର ଯୁବ ବର୍ଗଙ୍କ ପାଇଁ ଚାକିରି ନାହିଁ, ଏମିତି କି ଗଞ୍ଜାମ ଜିଲ୍ଲାର ବିକାଶ ମୋ ଦାୟିତ୍ୱ କହିଥିବା ମୁଖ୍ୟମନ୍ତ୍ରୀ ମାରୁଡ଼ି ଗାଁ’କୁ ଅବହେଳା କରିଥିବା ଅଭିଯୋଗ କରିଥିଲେ। ଏହାସହ ଏହି ରାଜ୍ୟ ବିଜେଡି ସରକାର ଉନ୍ନତି ନା’ରେ କେବଳ ବିଭିନ୍ନ ସାହି ଗଳି ସହରରେ ଗଣ୍ଡା ଗଣ୍ଡା ମଦ ଦୋକାନ ଖୋଲିବାରେ ହିଁ ଉନ୍ନତି ହୋଇଛି। ମହିଳାଙ୍କୁ ଅସଦାଚରଣ, ବଳାତ୍କାର ଓ ଶୋଷଣରେ ହିଁ ସମିତ ଏହି ସରକାର, ତେଣୁ ଓଡ଼ିଆ ପୁଅ ଓଡ଼ିଶାବାସୀ ତାମିଲ ଅଫିସର କବଳରୁ ଓଡ଼ିଶାକୁ ବଞ୍ଚାଇ, ଦେଶ ପାଇଁ ବଳିଦାନ ଦେଇଥିବା ପରିବାର ଗାନ୍ଧୀ ପରିବାରକୁ ସୁଯୋଗ ଦିଅନ୍ତୁ ବୋଲି କହିଥିଲେ।

ସେହିପରି ଜିଲ୍ଲା ସଭାପତି ଶ୍ରୀ ଜେନା କହିଛନ୍ତି ଯେ, ଏ ମିଛୁଆ ଅହଙ୍କାରୀ ଓ ଭ୍ରଷ୍ଟାଚାରର ସରକାର କେବଳ ମିଛ ପ୍ରତିଶ୍ରୁତି ଦେବା ଛଡ଼ା ଆଉ କିଛି ଦେଇ ନାହିଁ। ତେଣୁ ଏହି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ ଏହି ଐତିହାସିକ ଭାରତ ଯୋଡ଼ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା, ଯାହାର ଆଜି ଚାରି ହଜାର କିଲମିଟର ପରିକ୍ରମା କରି ଏକ ବର୍ଷ ପୂର୍ତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ସାରା ଦେଶବାସୀଙ୍କୁ ଆହ୍ବାନ କରାଯାଇଛି ଯେ, ଏହି ଅହଙ୍କାରୀ ସରକାରର ଅତ୍ୟାଚାର, ଲୁଣ୍ଠନ, ଅରାଜକତାକୁ ଉଚିତ୍ ଜବାବ ଦେଇ କଂଗ୍ରେସକୁ ଶାସନ ପାଇଁ ନୁହଁ ସେବା କରିବା ପାଇଁ ସୁଯୋଗ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ। କାରଣ ଏହି ଉଭୟ ସରକାର ଶାସନ କାଳରେ ଜନ ସାଧାରଣଙ୍କୁ ବିକାଶ ନା’ ରେ, ଚାକିରି ନାହିଁ, ସୁରକ୍ଷା ନାହିଁ, କିଛି ଦେଇ ପାରିନାହିଁ, କେବଳ ନିଜ ଦଳ ପାଇଁ ଓ ବଡ଼ ବଡ଼ ବ୍ୟବସାୟୀ ମାନଙ୍କ ଉନ୍ନତି ପାଇଁ ଶାସନ କରୁଛି । ଏମିତି କି, କରିବା ଲୋକଙ୍କ କଟା ଘା’ରେ ଚୁନ ଲେପା ସଦୃଶ ଭଳି ଗ୍ୟାସ ଦର କମାଇବା ପ୍ରହସନ କରିଛି, ବିଜେପି ଓ ବିଜେଡ଼ି ଦୁଇ ସଉତୁଣୀ, ତେଣୁ ଏହି ସୋଷିତ ସରକାରଙ୍କୁ ଆଗାମୀ ୨୪ ନିର୍ବାଚନରେ ଉଚିତ୍ ଜବାବ ଦେବାକୁ ପଡ଼ିବ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା ସନାତନ ସାହୁଙ୍କ ସମେତ ଦଳର ଶତାଧିକ ଯୁବ, ଛାତ୍ର ଓ ମହିଳା କର୍ମୀ ମାନେ ଯୋଗ ଦେଇଥିଲେ ।