ଆଜି ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୨ ନୂଆ ବିଚାରପତି । ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି । ଉଭୟଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଶପଥପାଠ କରାଇଛନ୍ତି । ଦୁଇ ବିଚାରପତିଙ୍କ ଯୋଗଦାନ ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ ରେ ପହଞ୍ଚିଛି।
ଶପଥ ପାଠ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ପୂର୍ବତନ ବିଚାରପତି, ବହୁ ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ଆସୋସିଏସନର ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ। ଗତ ଅଗଷ୍ଟ ୧୭ ତାରିଖରେ ଦୁଇ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ଏହା ସହ ଉଭୟଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ୧୯୬୪ ମସିହା ମେ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ସେଇଭଳି ଭାବେ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଜୟପୁର ଠାରେ ୧୯୬୮ ମସିହା ମେ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ପ୍ରାୟେ ୩୦ ବର୍ଷର ଅଭିଜ୍ଞତା ରହିଥିବା ଜଣାପଡ଼ିଛି ।