ଗିରଫ ହୋଇପାରନ୍ତି ଅଭିନେତ୍ରୀ ଜରିନ ଖାନ !

ଗିରଫ ହୋଇପାରନ୍ତି ବଲିଉଡ ଅଭିନେତ୍ରୀ ଜରିନ ଖାନ । ଜରିନ ଖାନଙ୍କ ନାମରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି କୋଲକତାର ଏକ ଅଦାଲତ । ତାଙ୍କ ନାମରେ ଠକିବା ନେଇ ଏକ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକତାର ୬ଟି କାର୍ଯ୍ୟକ୍ରମରେ ସାମିଲ ନ ହେବା ପାଇଁ ଅଭିନେତ୍ରୀଙ୍କ ନାମରେ ମାମଲା ରୁଜୁ କରିଥିଲା ।

ଖବର ମୁତାବକ, ଏହି ମାମଲାରେ ପଚରାଉଚରା ପାଇଁ ମଧ୍ୟ ଜରିନ ଥାନାରେ ହାଜର ହୋଇନଥିଲେ । ଜରିନ ପଶ୍ଚିମବଙ୍ଗର ୨୪ ପ୍ରଗଣାକୁ ମଧ୍ୟ ମିସ୍‌ କରିଥିଲେ । ମାମଲା ଦାଏର ହେବା ପରେ ଅଭିଯୋଗ ପତ୍ର ଦାଖଲ ହେବା ପରେ ଜରିନଙ୍କୁ କୋଲକତାର ସିୟାଲଦହ ଅଦାଲତରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ଜରିନ ହାଜର ହୋଇନଥିଲେ । ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି, ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ତାଙ୍କୁ ମିଛ କହିଥିଲା । ଏହି କାର୍ଯ୍ୟକ୍ରମରେ ଜଣାଶୁଣା ଲୋକପ୍ରିୟ ମନ୍ତ୍ରୀ ଉପସ୍ଥିତ ରହିବା କଥା କମ୍ପାନୀ ତାଙ୍କୁ କହିଥିଲା । କିନ୍ତୁ ଏହା ଉତ୍ତର କୋଲକତାର ଛୋଟ କାର୍ଯ୍ୟକ୍ରମ ରହିଥିଲା ବୋଲି ଜରିନ ଜାଣିବାକୁ ପାଇଥିଲେ । ଜରିନ ବାରମ୍ବାର ଅଦାଲତରେ ହାଜର ନ ହେବାରୁ କୋଲକତା ଅଦାଲତ ତାଙ୍କ ନାମରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି । ଅଭିନେତ୍ରୀ ମଧ୍ୟ ଜାମିନ ପାଇଁ ଅପିଲ୍‌ କରିନାହାନ୍ତି ।