ଛତ୍ରପୁର ଏନ୍‌ଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ

ଛତ୍ରପୁର,୩୧/୮ : ଛତ୍ରପୁର ଏନ୍‌ଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନଙ୍କ ପୌରହିତ୍ୟରେ ମହାସମାରୋହରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ରୂପରେଖ ବଦଳିଛି । ବିଗତ ୫ ରୁ ୬ ବର୍ଷ ପୂର୍ବରୁ ଯେଉଁମାନେ ଛତ୍ରପୁର ସହରକୁ ଆସିଛନ୍ତି ସହରର ସୌନ୍ଦର୍ଯ୍ୟାକରଣ ଦୃଶ୍ୟରେ ମୋହିତ ହେଉଚନ୍ତି । ସହରର ବିକାଶ ଓ ସହରବାସୀଙ୍କ ମୌଳିକ ସୁବିଧା ପାଇଁ ଓଡିଶା ସରକାର ହାତ ଖୋଲି ଖର୍ଚ୍ଚ କରିବାରେ ପଛାଉନାହାନ୍ତି । ସହରର ବିକାଶ ପାଇଁ ସରକାରଙ୍କ ସମସ୍ତ ଯୋଜନା ଗୁଡିକୁ କିପରି ସଫଳ ରୂପାୟନ ହୋଇପାରିବ ଜନପ୍ରତିନିଧିମାନଙ୍କୁ ସହରବାସୀଙ୍କ ସଂପୂର୍ଣ୍ଣ ସହଯୋଗ ରହିବା ଦରକାର । ସମସ୍ତଙ୍କ ସମନ୍ୱୟ ମଧ୍ୟରେ ସହରର ବିକାଶ ଦିଗରେ ଆଗେଇ ଆଶିବା ନିମନ୍ତେ ଛତ୍ରପୁର ସହରାବସୀଙ୍କୁ ବିଧାୟକ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି ।

ଅଧ୍ୟକ୍ଷା ଶ୍ରୀମତି ପ୍ରଧାନ ଛତ୍ରପୁର ସହର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ କାଉନସିଲରମାନଙ୍କ ଉଦ୍ୟମ ଓ ପ୍ରଶାସନିକ ସହଯୋଗ ଦେଇଆସୁଥିବା ବେଳେ ସହରବାସୀଙ୍କ ଆର୍ଶିବାଦ କାମନା କରିଥିଲେ । ଉପାଧ୍ୟକ୍ଷ ଜି.ପାପା ରାଓ କହିଛନ୍ତି, ଛତ୍ରପୁର ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନା ମାଧ୍ୟମରେ ୩ଟି ପର୍ଯ୍ୟାୟରେ ୫ କୋଟି ୨୦ ଲକ୍ଷ ଅନୁଦାନ ଦେଇସାରିଲେଣି, ସହର ବିକାଶ ଦିଗରେ ଅନୁଦାନର ଅଭାବ ନାହିଁ । ଏହାସହିତ ସହରବାସୀଙ୍କ ଦାବି ଅନୁସାରେ ଛତ୍ରପୁର ସହରକୁ ପୌରପାଳିକା ମାନ୍ୟତା ନିମନ୍ତେ ୫-ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦରଖାସ୍ତ ପ୍ରଦାନ କରାଯାଇଛି ଏବଂ ଆମର ବିଶ୍ୱାସ ତୁରନ୍ତ ଏଦଗିରେ ଖୁସି ଖବର ମିଳିବ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ ଛତ୍ରପୁର ସହର ବିକାଶ ଜନସାଧାରଣ, ଜନପ୍ରତନିଧି ଏବଂ ପ୍ରଶାସନର ମିଳିତ ଉଦ୍ୟମରେ ହିଁ ସମ୍ଭବ ହୋଇପାରିବ । ଏନ୍‌ଏସି କାର୍ଯ୍ୟ ନିର୍ବାହୀ ସମ୍ବିତ୍ ସଂଗ୍ରାମଜିତ ସାହୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପୂର୍ଣ୍ଣ ଏବଂ ହାତକୁ ନିଆଯାଇଥିବା ପ୍ରକଳ୍ପ ବିଷୟରେ ବିବରଣୀ ରଖିଥିଲେ । ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ସମସ୍ତ କାଉନସିଲର ଉପସ୍ଥିତ ଥିଲେ ।

ଆଜିର ଦିବସ ଉପଲକ୍ଷେ ସ୍କୁଲ ଏବଂ ବିଭିନ୍ନ ସ୍ତରରେ ହୋଇଥିବା ସମସ୍ତ କୃତୀ ପ୍ରତିଯୋଗିତାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରେ ୧୧ ନଂ ୱାର୍ଡର ଏକାମ୍ରନଗର ସାହିରେ ଓପେନ ଜିମ ସହିତ ନୂତନ ପାର୍କ, ୧୨ ନଂ ୱାର୍ଡର କଳ୍ପବାସୀନଗର ସାହିର ନୂତନ ପାର୍କ, ଡିଆରଡିଏ ଅଫିସ୍ ସମ୍ମୁଖ ନଟରାଜପ୍ରତିମୂର୍ତ୍ତି, ଏଲ୍‌ଆଇସି କଲୋନୀ ସମ୍ମୁଖ ବୁଦ୍ଧଙ୍କ ପ୍ରତିମୂର୍ତ୍ତି, ଜନସାଧାରଣଙ୍କ ନିମନ୍ତେ ଷ୍ଟାଡିୟମ ପରିସରରେ ଓ ବିଇଓ ଅଫିସ୍ ମୁଖ୍ୟରାସ୍ତା ପାଶ୍ୱର୍ରେ ଶୌଚାଳୟର ଉଦ୍‌ଘାଟନ ହୋଇଥିଲା । ସୂଚନାନୁସାରେ, ଆଜି ସକାଳ ୮ଟାରେ ଛତ୍ରପୁର ବିଧାୟକ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ପରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ରୋଗୀଙ୍କୁ ଫଳବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ଏନ୍‌ଏସିର କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।