ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଟଙ୍କା ଦେବାକୁ ପଡିବ । ଆୟ ବଢାଇବାକୁ ଶ୍ରୀମନ୍ଦିର ପ୍ରଶାସନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଭକ୍ତଙ୍କୁ ଆଉ ଶ୍ରୀମନ୍ଦିରରେ ମାଗଣା ଦର୍ଶନ ମିଳିବନି । ପ୍ରତିଦିନର ନୀତିକୁ ଦେଖି ପ୍ରଶାସନ ଭିତରକାଠକୁ ଜଗା ଦର୍ଶନ ଲାଗି ପାରମାଣିକ ଟିକେଟ୍ ବ୍ୟବସ୍ଥା କରିବ । ଫଳରେ ନିର୍ଦିଷ୍ଟ ସମୟ ପାଇଁ ଭକ୍ତ ଦେୟଯୁକ୍ତ ଜଗା ଦର୍ଶନ କରିବେ । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ ମାହାଲ ଦେବାକୁ ପଡିବ ।
ଏନେଇ ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ପାରମାଣିକ ଦର୍ଶନ ସମୟ ଏବଂ ଟିକେଟ୍ ମୂଲ୍ୟ ଧାର୍ଯ୍ୟ ହେବ । ଏନେଇ ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଅର୍ଥ ଓ ସଂସ୍ଥା ସବ୍କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ତେବେ ବୈଠକର ନିର୍ଯାସକୁ ପରିଚାଳନା କମିଟିରେ ଉପସ୍ଥାପିତ କରାଯିବ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ପାରମାଣିକ ଦର୍ଶନ ସମୟ ଓ ଟିକେଟ୍ ମୂଲ୍ୟ ଧାର୍ଯ୍ୟ ହେବ ବୋଲି ଶ୍ରୀ ଦାସ କହିଛନ୍ତି ।