ଜଣଙ୍କୁ ମିଳିଲା ଜାମିନ କିନ୍ତୁ ଆଉ ଜଣଙ୍କୁ ଛାଡିଲା ଝାରପଡା ଜେଲ। ଶାସନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଝାରପଡା ଜେଲର ଏଭଳି ଖାମଖିଆଲ ନୀତି ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଜେଲ ପ୍ରଶାସନ କାଠଗଡ଼ାରେ। ଝାରପଡ଼ା ସ୍ୱତନ୍ତ୍ର ଜେଲ୍ କର୍ତ୍ତୃପକ୍ଷ ଏକ ଠକେଇ ମାମଲାରେ ଜେଲରେ ଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅନ୍ୟ ଜଣେ କଏଦୀଙ୍କ ସ୍ଥାନରେ ଛାଡ଼ି ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୦ ତାରିଖରେ ଏକ ଠକେଇ ମାମଲାରେ ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଥିବା ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ରମେଶ ଜେନାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ। ସେହିଦିନ ଜେଲ୍ କର୍ମଚାରୀ କିନ୍ତୁ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଲକ୍ଷ୍ମୀଧର ଜେନାଙ୍କ ପୁଅ ରମେଶ ଜେନାଙ୍କୁ ଛାଡି ଦେଇଥିଲେ।
ଏହି ତ୍ରୁଟି ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଠକେଇର ଅଭିଯୁକ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ, ଜାମିନ ମିଳି ଯାଇଥିଲେ ମଧ୍ୟ ତାଙ୍କ ଲୋକ ଏବେ ବି ଜେଲରେ ଅଛନ୍ତି। ଏହାପରେ ଜେଲ୍ କର୍ତ୍ତୃପକ୍ଷ ଭୁଲ୍ ବୁଝିପାରିଥିଲେ। ଜେଲ୍ କର୍ତ୍ତୃପକ୍ଷ ତୁରନ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପ୍ରତିବଦଳରେ ପୁଲିସ ସେପ୍ଟେମ୍ବର ୨୨ ସନ୍ଧ୍ୟାରେ ରମେଶକୁ ଗିରଫ କରିବାରେ ସଫଳ ହୋଇଥିଲେ ଏବଂ ପରେ ଅନ୍ୟ ରମେଶକୁ ଛାଡ଼ି ଦେଇଥିଲେ। ତେବେ କେଉଁ କାରଣରୁ ଏଭଳି ଭୁଲ୍ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟ ଓ୍ୱାର୍ଡର ମୁକ୍ତ ହୋଇଥିବା କଏଦୀ, ଆସିଷ୍ଟାଣ୍ଟ ଜେଲର, ଜେଲର, ସୁପରିଟେଣ୍ଡେଣ୍ଟ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।