ମାର୍କେଟ ବିଲ୍ଡିଂ ପରେ ବର୍ତ୍ତମାନ ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍ ଏବଂ ଭେଣ୍ଡିଂଜୋନ୍ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଫୁଟ୍ପାଥ୍ ଉପରେ ଦୋକାନ କରିଥିବା ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି ରଖୁଥିବାରୁ ଗ୍ରାହକମାନେ ଯାତାୟାତରେ ହଇରାଣ ହେଉଛନ୍ତି। ଏହାକୁ ନେଇ ଗୁରୁବାର ଉଭୟ ପକ୍ଷ ମଧ୍ୟରେ ବିବାଦ ପରେ ଘଟଣା ଥାନାକୁ ଯାଇଥିଲା। ତେବେ ସେଠାରେ କୌଣସି ସମାଧାନ ହୋଇପାରି ନ ଥିବାବେଳେ ଏହି ଘଟଣା ପ୍ରତିବାଦରେ ଆସୋସିଏଶନ୍ ପକ୍ଷରୁ ୧ନମ୍ବର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଆଜି ବିଏମସି ଅଫିସ ଘେରାଉ କଲା ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ । ବିଭିନ୍ନ ଦାବି ନେଇ ବିଏମସି ଅଫିସ ଘେରିଛନ୍ତି ବ୍ୟବସାୟୀ ସଂଘ । ଏକ ନମ୍ବର ହାଟ ସହ ଦୋକାନ ବଜାର ବନ୍ଦ କରି ବିଏମସି ଅଫିସ ଘେରାଉ କରିଛନ୍ତି ଶତାଧିକ ସଂଖ୍ୟାରେ ବ୍ୟବସାୟୀ ।
ସୂଚନା ଅନୁଯାୟୀ , ଗୁରୁବାର ଭେଣ୍ଡିଂଜୋନ୍ ବ୍ୟବସାୟୀମାନେ ପୂର୍ବ ରାସ୍ତାକୁ ଜବରଦଖଲ କରି ରଖିଥିବାରୁ ଏହାକୁ ଆସୋସିଏଶନ୍ର କେତେଜଣ ବ୍ୟବସାୟୀ ବାରଣ କରିଥିଲେ। ରାସ୍ତା ଛାଡ଼ି ବେପାର କରିବାକୁ ସେମାନେ କହିଥିଲେ। ଏଥିରେ ଭେଣ୍ଡିଂଜୋନ୍ ବ୍ୟବସାୟୀମାନେ ତାଙ୍କୁ ଖରାପ ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ, ଯାହାକୁ ନେଇ ଦୁଇପକ୍ଷ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟପକ୍ଷ ରାସ୍ତା ଉପରକୁ ଆସି କଥା କଟାକଟି ହୋଇଥିଲେ। ଫଳରେ ମାର୍କେଟରୁ ଏଜି ଛକ ଆଡକୁ ଥିବା ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ରାସ୍ତା ଜାମ୍ ହୋଇଯାଇଥିଲା। ଗାଡ଼ିମୋଟର ଯିବା ଆସିବାରେ ମଧ୍ୟ ଅସୁବିଧା ହୋଇଥିଲା। ଏପରିକି ଭେଣ୍ଡିଂଜୋନ ବ୍ୟବସାୟୀମାନେ ହାଟ ଭିତରକୁ ଯାଉଥିବା ଗ୍ରାହକଙ୍କୁ ଛାଡ଼ି ନ ଥିଲେ। ଏହାକୁ ନେଇ ବିବାଦ ତୀବ୍ର ରୂପ ନେଇଥିଲା। ଅପରପକ୍ଷେ ଆସୋସିଏଶନ୍ର ବ୍ୟବସାୟୀମାନେ ଦୁର୍ବବ୍ୟବହାର କରିଥିବା ଭେଣ୍ଡିଂଜୋନ୍ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ପରେ ଘଟଣାର ସମାଧାନ ପାଇଁ କ୍ୟାପିଟାଲ ଥାନାକୁ ଉଭୟ ପକ୍ଷ ଯାଇଥିଲେ । ତେବେ ବ୍ୟବସାୟୀମାନଙ୍କ ମଧ୍ୟରେ ତାଳମେଳ ଠିକ୍ ରହୁ ନ ଥିବାବେଳେ ମାର୍କେଟ ବନ୍ଦ ରଖାଯିବା ନେଇ ଜନସାଧାରଣରେ ଅସନ୍ତୋଷ ଦେଖାଦେଇଛି।