ବେଗୁନିଆପଡା, (ରାକେଶ):ସରକାର ଲୋକଙ୍କୁ ଶହେ ଦିନର କାମ ଦେଇ ନିଯୁକ୍ତିକୁ ନିଶ୍ଚିତ କରିବା ପାଇଁ ଦୀର୍ଘ ଦିନ ହେବ ମନରେଗା ଯୋଜନା ଆରମ୍ଭ କରିଛନ୍ତି | ଆଉ ସେଥିପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | କିନ୍ତୁ ଏହି ଯୋଜନାର ତଦାରଖ କେମିତି ହେଉଛି, ଲୋକଙ୍କ ନିକଟରେ ଅର୍ଥ ପହଁଚୁଛି ନା ନାହିଁ, କାର୍ଯ୍ୟ ଠିକ ହେଉଛି କି ନାହିଁ ତାହାର ତଦାରଖ ଠିକ ସେ ନ ହୋଇପାରିବା ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ଅର୍ଥ ପାଣିରେ ପଡ଼ିବାକୁ ବସିଛି | କିଛି ମୁନଫାଖୋର ବ୍ୟକ୍ତି ଅସାଧୁ ଉପାୟରେ ଯୋଜନାର ସମ୍ପୂର୍ଣ୍ଣ ଅର୍ଥକୁ ଚଳୁ କରି ଦେବାକୁ ବସିଛନ୍ତି |ଯାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତର କନିଆରୀବାଡ଼ି ଗାଁରେ |
ମନରେଗା ଯୋଜନାରେ ପୋଖରୀ ଖୋଳାକୁ ନେଇ ସରକାରଙ୍କ ତରଫରୁ ଆସିଥିବା ଲକ୍ଷାଧିକ ଟଙ୍କା ଏବେ ବାଟ ମାରଣା ହୋଇଥିବା ଅଭିଯୋଗ ହୋଇଛି | ସୂଚନା ଫଳକ ନ ଥାଇ ପୋଖରୀ ଖୋଳା ଟଙ୍କାକୁ ଖାଇଦେଇଛନ୍ତି ଗାଁ ସାଥି! ଏହି ଅର୍ଥ ଲୁଟ ଘଟଣାରେ କିଛି ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ଥିବା ମଧ୍ୟ ଶୁଣିବାକୁ ମିଳୁଛି | ଏକ ନଦୀର ହୁଡ଼ାର ମାଟିକୁ ଆଡେଇ ଦେଇ ପୋଖରୀ ଖୋଳା ଯିବାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବିନା ସୂଚନା ଫଳକରେ ଅସାଧୁ ଉପାୟରେ ଲକ୍ଷ ଲକ୍ଷ ହଡପ କରାଯାଇ ଥିବା ନେଇ ଅଭିଯୋଗ ଆସିଛି | ଏହି ଅର୍ଥ ଆତ୍ମସାତ ଘଟଣାକୁ ନେଇ ଭିଜିଲାନ୍ସ ତଦନ୍ତ କରାଯିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବୀ ଯୋର ଧରିଥିବା ବେଳେ ଆଗକୁ ଏହି ଦୁର୍ନୀତିର ଚେର କୋଉ ପର୍ଯ୍ୟନ୍ତ ଲମ୍ବିଛି ତାକୁ ନେଇ ଖୋଲତାଡ଼ ଆରମ୍ଭ କରିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି | ହେଲେ ଏ ନେଇ ବେଗୁନିଆପଡା ବ୍ଲକ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ | ତେବେ ଏଠି ପ୍ରଶ୍ନ ଉଠୁଛି ନଦୀ ହୁଡାରେ ପୋଖରୀ ଖୋଲିବାକୁ ଅନୁମତି ଦେଲା କିଏ? ଏହାକୁ ଉଚିତ ତଦାରଖ କରାଯାଇଛି ନା ମିଲି ଭଗତରେ ଏ ସବୁ ଅର୍ଥ ବାଟମାରଣା ହୋଇଛି, ଯାହା କି ତଦନ୍ତ ସାପେକ୍ଷ |