ଚିଲିକା/ବାଣପୁର ୦୪/୦୯: ପୁରୀ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ତରଫରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଭିନ୍ନ ଲୀଳାକ୍ଷେତ୍ର ପରିଦର୍ଶନ ଓ ଗବେଷଣାତ୍ମକ ତଥ୍ୟ ସଂଗ୍ରହ ନିମନ୍ତେ ଏକ ପ୍ରତିନିଧି ଦଳ ଗତ ଶନିବାର ଦିନ ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚି ଥିଲେ।ସେଠାରେ ଡାଃ ମଧୁସୂଦନ ସେନାପତି, ଜୟ ବେହେରା ଓ ଗ୍ରାମବାସୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସେଠାରୁ ନଇରି ନିକଟସ୍ଥ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରି ରେ ପହଞ୍ଚି ଥିଲେ। ହାଡ଼ିବନ୍ଧୁ ପଟ୍ଟନାୟକ ସେଠାରେ ସମ୍ବର୍ଦ୍ଧନା ଜଣାଇଥିଲେ। ସମସ୍ତେ ସେଠାରେ ଆଲୋଚନା ସମୟରେ ଜଗତୀ ଓ ସୋଲାରି ପାହାଡ଼ର ପୌରାଣିକ,ଐତିହାସିକ ଓ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସମ୍ବନ୍ଧୀୟ ତଥ୍ୟ ଶ୍ରୀ ଦିବ୍ୟାନନ୍ଦ ସରସ୍ୱତୀ ପ୍ରତିନିଧିଙ୍କ ପାଖରେ ଉପସ୍ଥାପନା କରି ଥିଲେ। କାଙ୍କଣଶିଖରି ଠାରୁ ଫେରି ଗଞ୍ଜାମ ଜିଲ୍ଲାର ପଥରା, ବାଣଆ ଆଦି ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ପରିଦର୍ଶନ କରି ଗବେଷଣାତ୍ମକ ତଥ୍ୟ ସଂଗ୍ରହ କରି ରାତ୍ରିରେ ସୁନାଖଳା ଜଗତି ପାହାଡ ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ରାତ୍ରୀ ଭୋଜନ ସାରି ବିଶ୍ରାମ କରିଥିଲେ। ପରଦିନ ରବିବାର ସକାଳୁ ନିତ୍ୟକର୍ମ ଓ ପୁଜାବିଧି ସମାପନ କରି ବାଣପୁର ଅଭିମୁଖେ ବାହାରିଥିଲେ। ପ୍ରଥମେ ମା ଭଗବତୀଙ୍କ ପୀଠରେ ବାଳମୁକୁନ୍ଦ ଦାସ ଓ ନୃସିଂହ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।
ପ୍ରତିନିଧି ଦଳ ଶ୍ରୀ ଶ୍ରୀ ରଙ୍କନାଥଦେବ, ଶ୍ରୀ ଶ୍ରୀ ଚରଣ ଚକାଦେବ, ସାହସପୁର ମନ୍ଦିର ପରିଦର୍ଶନ ସାରି ବଙ୍କାଡ ଗଡ଼ ଶ୍ରୀ ଜଗନ୍ନାଥ ଲୀଳାକ୍ଷେତ୍ର ପରିଦର୍ଶନ କରି ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଶେଷ କରିଥିଲେ।ଉକ୍ତ ପ୍ରତିନିଧି ଦଳରେ ମହାସଚିବ ନରେଶ ଦାସ, ଡ଼ଃ କରୁଣାକର ପ୍ରଧାନ, ସ୍ବାମୀ ଦିବ୍ୟାନନ୍ଦ ସରସ୍ୱତୀ,ରାଧା ବହ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ, ଅବସର ପ୍ରାପ୍ତ ଆଇ ଏ ଏସ ସୁଦର୍ଶନ ପଟ୍ଟନାୟକ,ଡ଼ଃ ଅସିତ୍ ମହାନ୍ତି, ଯାଜପୁର ଶ୍ରୀ ଜଗନ୍ନାଥ ଗବେଷଣା ପରିଷଦ ର ସମ୍ପାଦକ ଜଗନ୍ନାଥ ପଣ୍ଡା, ସେବାୟତ ପୂର୍ଣ୍ଣଚନ୍ଦ୍ର ଗୋଛିକାର, ଅଧ୍ୟାପକ ଶ୍ରୀହର୍ଷ ମହାପାତ୍ର, ସୁଆର ସେବକ ହରେକୃଷ୍ଣ ପ୍ରତିହାରି ପ୍ରମ୍ମୁଖ ସାମିଲ ଥିଲେ। ଅଦ୍ୟାବଧି ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ରୂପେ ମାନ୍ୟତା ପ୍ରଦାନ ପାଇ ନଥିବା ପୌରାଣିକ ଓ ଐତିହାସିକ ତଥ୍ୟ ସମ୍ବଳିତ ସୋଲରୀ ଓ ଜଗତି ପାହାଡ ଯେଉଁ ଠାରେ କି ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ଦାରୁ ପ୍ରତିମା ଅଲଗା ଅଲଗା ପୂଜାପାଇ ଆସୁଛନ୍ତି,ତାହାକୁ ପୁରୀ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ତରଫରୁ ଲୀଳାକ୍ଷେତ୍ର ରୂପେ ମାନ୍ୟତା ପ୍ରଦାନ କରାଯାଇ ଥିବାର ଜଣାପଡିଛି। ଏଥି ପାଇଁ ପୁରୀ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ପ୍ରତିନିଧି ମାନଙ୍କୁ ଏହି ଅଞ୍ଚଳର ଜନସାଧାରଣ, ଜଗନ୍ନାଥ ସଂସ୍କୃତି ପ୍ରେମୀ, ଗୁଣୀ ଜ୍ଞାନୀ ବ୍ୟକ୍ତି ବିଶେଷ ଧନ୍ୟବାଦ ଦେବା ସଂଗେ ସଂଗେ କୃତଜ୍ଞତା ଜଣାଇଛନ୍ତି।