ପୋଖରୀରୁ ମିଳିଲା ଆସିଷ୍ଟାଣ୍ଡ କଲେକ୍ଟରଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲାେକ

ଆସିଷ୍ଟାଣ୍ଟ କଲେକ୍ଟର ସସ୍ମିତା ମିଞ୍ଜ ଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ସେ ରାଉରକେଲା ADM ଅଫିସ ରେ ଥିଲେ ଆସିଷ୍ଟାଣ୍ଟ କଲେକ୍ଟର । ଏହି ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ- ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୩୫ ବର୍ଷୀୟ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ସ୍ଥାନୀୟ ସେନ୍‌ସୋରୀ ପାର୍କ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ମୃତଦେହ ପୋଲିସ୍‌ ଜବତ କରିଥିବାବେଳେ ବୁଧବାର ପରିଚୟ ସ୍ପଷ୍ଟ ହୋଇଛି । ଆସିଷ୍ଟାଣ୍ଟ କଲେକ୍ଟର ଭଳି ଜଣେ ଉଚ୍ଚପଦବୀରେ ଥିବା ମହିଳା ଅଧିକାରୀଙ୍କ ମୃତ୍ୟୁକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏପରି କି ଏହି ଘଟଣାରେ ନିର୍ଦ୍ଦିଷ୍ଟ ଦୁଇ ବରିଷ୍ଠ ଅଧିକାରୀ ସମ୍ପୃକ୍ତ ଥିବା ସେମାନେ କହିଛନ୍ତି । ଅନ୍ୟପଟେ ପୋଲିସ୍‌ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଖୋଳତାଡ଼ ଆରମ୍ଭ କରିଛି । ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାମାବାହାଲର ମୂଳବାସିନ୍ଦା ସୁସ୍ମିତା |

ପ୍ରଥମେ ବଣାଇଁ ଏବଂ ପରେ ସୁନ୍ଦରଗଡ଼ରେ କିଛିବର୍ଷ ଧରି କାର୍ଯ୍ୟ କରିଥିଲେ । ଗତ ଦେଢ଼ବର୍ଷ ହେବ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗ ଦେଇଥିଲେ । ମୃତ ସୁସ୍ମିତାଙ୍କ ଭାଇ ସନ୍ଦୀପ ମିଞ୍ଜଙ୍କ କହିବା କଥା, ପ୍ରାୟ ମାସେ ହେଲା ଭଉଣୀ ମାନସିକ ଅବସାଦରେ ରହୁଥିଲେ । ଗତ ୧୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବିଡିଓ ଏବଂ ତହସିଲଦାରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସୁସ୍ମିତାଙ୍କ ମାନସିକ ସ୍ଥିତି ଠିକ୍‌ ନାହିଁ ଏବଂ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ୧୭ ତାରିଖ ଗୁରୁଣ୍ଡିଆ ବିଡିଓ ସୁସ୍ମିତାଙ୍କ ଘରକୁ ଯାଇ ତାଙ୍କ ମାଆଙ୍କୁ ଏ ବିଷୟରେ ଜଣାଇଥିଲେ । ଏପରି କି ୧୬ରୁ ୧୭ ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟା ମଧ୍ୟରେ ଭଉଣୀଙ୍କୁ ମା’ ଏବଂ ସନ୍ଦୀପ ଅନେକ ଥର ଫୋନ୍‌ କରିଥିଲେ । ତେବେ ସେ ଉଠାଇ ନ ଥିଲେ । ଫଳରେ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନଥିଲା । ୧୭ ତାରିଖରେ ଉଦିତ୍‌ନଗର ଥାନାରେ ପହଞ୍ଚି ଭଉଣୀ ନିଖୋଜ ଥିବା ନେଇ ଅଭିଯୋଗ କରାଯାଇଥିଲା । ସେହିଦିନ ରାତି ପ୍ରାୟ ସାଢ଼େ ୯ଟାରେ ଭଉଣୀଙ୍କ ସନ୍ଧାନ ମିଳିଥିଲା । ମଙ୍ଗଳବାର ସନ୍ଧ୍ୟାରେ ସୁସ୍ମିତାଙ୍କ ମୃତଦେହ ସେନ୍‌ସୋରୀ ପାର୍କ ପୋଖରୀରୁ ଉଦ୍ଧାର କରାଯାଇଥିବା ପୋଲିସ୍‌ କହିଥିଲା । ହେଲେ ସେ ହୋଟେଲରୁ ବାହାରି ପାର୍କକୁ କିପରି ଗଲେ ବୋଲି ସୁସ୍ମିତାଙ୍କ ଭାଇ ସନ୍ଦୀପ ପ୍ରଶ୍ନ କରିଛନ୍ତି ।