ପୋଲିସ-ମାଓବାଦୀ ଗୁଳି ବିନିମୟ: ୨ ମାଓବାଦୀ ମୃତ

ଛତିଶଗଡ଼ର ସୁକମା ଜିଲ୍ଲରେ ପୋଲିସ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏଥିସହ ଘଟଣା ସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ନିହତ ଦୁଇ ନକ୍ସଲ ଜାଗରର୍ଗୁଣ୍ଡା ଏରିଆ କମିଟିର ଜନମିଲିସିଆ କ୍ୟାଡର ସୋଡି ଦେବା ଏବଂ ରବା ଦେବ ବୋଲି ଜଣାପଡିଛି। ଉଭୟଙ୍କ ମୁଣ୍ଡ ପିଛା ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା ଏବଂ ପୋଲିସ ସେମାନଙ୍କୁ ଦୀର୍ଘ ଦିନ ଧରି ଖୋଜୁଥିଲା।

ପୋଲିସ ସୂଚନା ଅନୁଯାୟୀ, ଚିନ୍ତଗୁମ୍ଫା ଥାନା ଅନ୍ତର୍ଗତ ତାଡମେଟଲା ଓ ଦୁଲେର ଜଙ୍ଗଲରେ ଜାଗରକୋଣ୍ଡା ଏରିଆ କମିଟିର ୧୦ରୁ ୧୨ ଜଣ ସଶସ୍ତ୍ର ନକ୍ସଲ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଡିଆରଜି ଓ ସିଆରପିଏଫ ଯବାନମାନେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ସେହି ସମୟରେ ନକ୍ସଲ ଓ ଯବାନ ମୁହାମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା। ଏଥିରେ ୨ ନକ୍ସଲ ନିହତ ହୋଇଥିଲେ ଏବଂ ଅନ୍ୟ ନକ୍ସଲମାନେ ସେହି ସ୍ଥାନ ଛାଡି ପଳାଇଥିଲେ। ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।