ବ୍ରହ୍ମପୁର, ୨୪/୪ (ଅଭିଜିତ କର): ବ୍ରହ୍ମପୁର ମହାନଗର ନିଗମ କମିସନରଙ୍କ ସରକାରୀ ବାସ ଭବନ ସମ୍ମୁଖରେ ଦୀର୍ଘ ସମୟ ଧରି ଏକ ବୁଲା କୁକୁର ଅସୁସ୍ଥ ହୋଇ ପଡ଼ି ରହିଥିଲା, ଯାହା ଫଳରେ କମିସନର ଘରୁ ବାହାରକୁ ବାହାରି ପାରି ନଥିଲେ। ଏହାକୁ ନେଇ ସେ ଡେପୁଟି କମିଶନର ଆଶୀର୍ବାଦ ପରିଡ଼ାଙ୍କୁ ଅବଗତ କରିଥଲେ। ଶ୍ରୀ ପରିଡା ତୁରନ୍ତ ପଶୁଧନ କାର୍ଯ୍ୟାଳୟ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପଶୁ ଆମ୍ବୁଲାନ୍ସ ସେବା ନମ୍ବର ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ପାଇଁଁ ନଥିଲେ। ଫଳରେ ବାଧ୍ୟ ହୋଇ ସେ ନିଗମର ସାନିଟାରୀ ଇନ୍ସପେକ୍ଟର ଚନ୍ଦନ ପାତ୍ର ଓ ତାଙ୍କ ଟିମକୁ ଘଟଣା ସ୍ଥଳକୁ ପଠାଇ ଉକ୍ତ କୁକୁରକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ପରେ କମିଶନର ଘରୁ ବାହାରିବା ପାଇଁ ସକ୍ଷମ ହୋଇଥିଲେ। ଏହିପରି ଘଟଣା ବ୍ରହ୍ମପୁର ସହରରେ ବହୁ ବାର ଘଟି ଚାଲିଛି, ସୂଚନା ଥାଉ କି, ଗତ କିଛିଦିନ ତଳେ ବ୍ରହ୍ମପୁର ଆମ୍ବ ମାର୍କେଟ ନିକଟ ମିନାକ୍ଷୀ ନଗର ଛକ ଠାରେ ପଡ଼ିଥିବା ଗୁରୁତର ଆହତ ବାଛୁରୀର ଚିକିତ୍ସା ହୋଇ ପାରୁନଥିବା ସୋସିଆଲ ମିଡିଆରେ ଖବର ପାଇ ମହାନଗର ନିଗମ ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା ସାନିଟାରୀ ଇନ୍ସପେକ୍ଟର ଟିମକୁ ଘଟଣା ସ୍ଥଳକୁ ପଠାଇ ବାଛୁରୀକୁ ଗ୍ଲୁକୋଜ୍ ଏବଂ ଓ.ଆର୍.ଏସ୍. ପାଣି ବ୍ୟବସ୍ଥା କରିଥିଲେ ମଧ୍ୟ ବାଛୁରୀ ଟିର ଉଚିତ ଚିକିତ୍ସା ହୋଇ ପାରିନଥିଲା । ପରେ ସ୍ଥାନୀୟ ଲୋକେ ଏକ ଅଟୋ ଯୋଗେ ତାର ଚିକିତ୍ସା ନିମନ୍ତେ ପ୍ରାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ପକ୍ଷରୁ ପଶୁଙ୍କ ଚିକିତ୍ସା ନିମନ୍ତେ ଦିଆ ଯାଇଥିବା ଆମ୍ବୁଲାନ୍ସ ସେବା କାହା ପାଇଁ । ଯେଉଁଠି ବ୍ରହ୍ମପୁରର ବରିଷ୍ଟ ପ୍ରଶାସକ ହାତ ଟେକି ଦେଉଛନ୍ତି, ସେଠାରେ ଅନ୍ୟ ମାନଙ୍କ ଅବସ୍ଥା କିପରି ରହୁଛି ତାହା ବାକି ରହିଲା । ଦୁର୍ଭାଗ୍ୟ ଜନକ ପରିସ୍ଥିତିରେ ବ୍ରହ୍ମପୁର ସହର, ଏଠାରେ ନେତା ମାନେ କେବଳ ନିର୍ବାଚନ ଆସିଲେ ସବୁ କିଛି କରିପାରନ୍ତି, ତା’ପରେ ଯେସାକୁ ତେସା ।