ବାଣପୁରରେ ସାହିତ୍ୟ ସିନ୍ଦୁରା ଅନୁଷ୍ଠାନ ପକ୍ଷରୁ ପାଠାଗାର ଉଦଘାଟିତ

ଚିଲିକା/ବାଣପୁର।୨୦/୦୯ :ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଧାରପୂର ଶୁଭମ୍ କଲ୍ୟାଣ ମଣ୍ଡପ ପରିସରରେ ସାହିତ୍ୟ ସିନ୍ଦୁରା ଅନୁଷ୍ଠାନ ତରଫରୁ ପ୍ରତିଷ୍ଠାତା ଶ୍ରୀ ଗୋଲକ ବିହାରୀ ପରିଡ଼ାଙ୍କ ଉଦ୍ୟମରେ ଏକ ପାଠାଗାର ଶ୍ରୀ ଗଣେଶ ପୂଜା ଅବସରରେ ଉଦଘାଟିତ ହୋଇଥିବା ଜଣାପଡିଛି। ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରତିକୂଳ ପାଗ ମଧ୍ୟରେ ସର୍ବ ସାଧାରଣଙ୍କ ନିମନ୍ତେ ଉକ୍ତ ପଠାଗାରକୁ ଆରମ୍ଭ କରି ଥିଲେ।ସାହିତ୍ୟ ସିନ୍ଦୂରାର ସମସ୍ତ ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ବହୁ ସାହିତ୍ୟିକ, ଜ୍ଞାନୀ ଗୁଣୀ ବ୍ୟକ୍ତି ବିଶେଷ ଓ ପାଠକ ମାନେ ଉପସ୍ଥିତ ଥିଲେ। ଅତି ସୁନ୍ଦର ପରିବେଶରେ ପ୍ରାଥମିକ ସ୍ତରରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ଵ ପୁସ୍ତକ ଏହି ପାଠାଗାରରେ ରଖା ଯାଇଥିଲା। ପାଠକ ପାଠିକା ମାନଙ୍କ ସୁବିଧା ନିମନ୍ତେ ଏହି ପାଠାଗାରରେ ଉଜ୍ବଳ ଆଲୋକ ସହିତ ଚଉକି ଓ ଟେବୁଲର ସୁବିଧା କରାଯାଇଅଛି। ପ୍ରତିଦିନ ଅପରାହ୍ନ ଚାରିଟା ଠାରୁ ରାତ୍ର ଆଠ ଘଟିକା ପର୍ଯ୍ୟନ୍ତ ପାଠାଗାର ଖୋଲା ରହିବ ଏବଂ ରବିବାର ଦିନ ଓ ଛୁଟି ଦିନରେ ସକାଳ ଦଶଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ପ୍ରତିଷ୍ଠାତା ଶ୍ରୀ ପରିଡାଙ୍କ ଠାରୁ ପ୍ରକାଶ। ତେବେ ଶ୍ରୀ ପରିଡାଙ୍କର ଏଭଳି ଉଦ୍ୟମକୁ ବାଣପୁର ଅଂଚଳର ବୁଦ୍ଧିଜୀବୀ ତଥା ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।