ବିଜେଡି ଉପସଭାପତି ପଦ ହରାଇବା ପରେ ସୌମ୍ୟଙ୍କ ପ୍ରତିକ୍ରିୟା; କହିଲେ, ‘ନବୀନଙ୍କ ହସ୍ତଖତ ଅସଲି ନା ନକଲି ?’

ରାଜ୍ୟ ସରକାର ତଥା ୫ଟି ସଚିବଙ୍କୁ ଟାର୍ଗେଟ କରୁଥିବା ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମୁହଁ ବନ୍ଦ ପାଇଁ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଦଳର ଉପସଭାପତି ପଦରୁ ବାହାର କରାଯାଇଛି । ଏହା ସତ୍ତ୍ୱେ ଚୁପ୍‌ ହୋଇନାହାନ୍ତି ସୌମ୍ୟ। ବହିଷ୍କାର ନିର୍ଦ୍ଦେଶନାମାରେ ଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତକୁ ନେଇ ସେ କରିଛନ୍ତି ସନ୍ଦେହ। ଆଉ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି। ସଭାପତିଙ୍କର ଏହା ଇଚ୍ଛାଧୀନ ବ୍ୟାପାର। ସଭାପତି ହିସାବରେ କାହାକୁ ସହଯୋଗୀ କାର୍ଯ୍ୟକର୍ତ୍ତା ଭାବେ ନେବେ, ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ। ସେମାନେ ଉପସଭାପତି ଦାୟିତ୍ୱ ଦେଇଥିଲେ, ଏବେ କାର୍ଯ୍ୟରୁ ଅନ୍ତର କରିଦେଲେ।

ଏଥିରେ ବିଶେଷ କିଛି ଅସ୍ୱାଭାବିକତା ନାହିଁ। ଉପସଭାପତି ପଦ ହରାଇବା ପରେ ମୁଁ କିଛି ହରାଇଛି ବୋଲି ଭାବୁନି। କାରଣ ଉପସଭାପତି ହିସାବରେ ମୁଁ କ’ଣ କରୁଥିଲି ଯେ, ହରାଇଛି ବୋଲି କହିବି। ଅନେକ ଗୁଡ଼ିଏ ପଦ ପଦବୀରେ ଆମ ଦଳର ଅନେକ ଲୋକ ଅଛନ୍ତି। ସେମାନେ ପ୍ରାୟତଃ କିଛି କରନ୍ତି ନାହିଁ। ତେଣୁ ସେହି ପଦଟା କେବଳ ଆଳଙ୍କାରିକ ଭାବେ ଥିଲା। ତେଣୁ ଏହାକୁ ହରାଇବା ହିସାବରେ ମୁଁ ଗ୍ରହଣ କରୁନି। ସେ ଆହୁରି କହିଛନ୍ତି, ଗୋଟିଏ ସପ୍ତାହ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଦୁଇ ମିନିଟ୍‌ ସମୟ ମାଗିଥିଲି। ମୋତେ ସମୟ ମିଳିଲା ନାହିଁ। କିନ୍ତୁ ତା’ ବଦଳରେ ଏ ବରଖାସ୍ତ ନିର୍ଦ୍ଦେଶନାମା ମିଳିଛି। ତେଣୁ ସେଥିରୁ ମୋର ସନ୍ଦେହ ହେଉଛି, ସେହି ଦସ୍ତଖତଟି ନକଲି ନା ଅସଲି। ଏହାଛଡ଼ା ଅନ୍ୟ କିଛି ମୋର କହିବାର ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।