ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କକେଶରୀ ଦେଓ

ବିଜେଡି ଛାଡ଼ି ବିଜେପିରେ ମିଶିଲେ କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କକେଶରୀ ଦେଓ ଓ ତାଙ୍କ ପତ୍ନୀ ମାଳବିକା ଦେଓ । ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ସମାବେଶ ଆୟୋଜନ କରାଯାଇଥିଲା। ରାଜ୍ୟ ଅଧ୍ୟକ୍ଷ ମନମୋହନ ସାମଲ୍‍ ତାଙ୍କୁ ବିଜେପିର ଉତ୍ତରୀୟ ଏବଂ ଦଳୀୟ ଚିହ୍ନ ଦେଇ ସ୍ୱାଗତ  କରିଥିଲେ ।  ଅର୍କକେଶରୀ ୨୦୧୪ରେ ବିଜେଡି ଟିକେଟରୁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ମସିହାରେ ତାଙ୍କୁ ଶାସକ ବିଜେଡି ଟିକେଟ୍‍ ଦେଇ ନଥିଲା। ତାଙ୍କ ବଦଳରେ ପୁଷ୍ପେନ୍ଦ୍ର ସିଂହଦେଓ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ।  ଖାଲି ସେତିକି ନୁହେଁ ତାଙ୍କୁ ଦଳର କୌଣସି ସାଂଗଠନିକ କାର୍ଯ୍ୟରେ ମଧ୍ୟ ସୁଯୋଗ ମିଳି ନଥିଲା। 

ଅର୍କଙ୍କ ପିତା ହେଉଛନ୍ତି ବିକ୍ରମ କେଶରୀ ଦେଓ।  ସେ ତିନିଥର ବିଜେପି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮, ୧୯୯୯ ଏବଂ ୨୦୦୪ ମସିହାରେ ସେ କଳାହାଣ୍ଡି ସାଂସଦ ଥିଲେ । ଏହି ମିଶ୍ରଣ ଉତ୍ସବରେ କଳାହାଣ୍ଡିର ବର୍ତ୍ତମାନର ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଥିଲେ । ଅର୍କଙ୍କ ଏହି ଯୋଗଦାନ ବିଜେଡି ପାଇଁ ବର୍ତ୍ତମାନ ଉଦ୍‍ବେଗର ବିଷୟ ହେବ। କାରଣ କଳାହାଣ୍ଡି ନିର୍ବାଚନ ଇତିହାସରେ ଅର୍କଙ୍କୁ ଛାଡ଼ି କେବେ ବିଜେଡିର ପ୍ରବେଶ ହୋଇପାରି ନପାରି ଥିଲା । ପୂର୍ବଥର ଅର୍କଙ୍କୁ ଅଣଦେଖା କରିଥିବାରୁ ବିଜେଡି ପରାଜୟ ସ୍ୱୀକାର କରିଥିଲା । ସେହିପରି ଭଦ୍ରକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକର ପୂର୍ବତନ ଅଧ୍ୟକ୍ଷା ରେବତୀ ନାୟକ ଓ ତାଙ୍କ ସ୍ୱାମୀ ସୁଧାଂଶୁ ଶେଖର ନାୟକ ମଧ୍ୟ ବିଜେପିରେ ଯୋଗ  ହୋଇଛନ୍ତି । ନିଜ ସମର୍ଥକଙ୍କ ସହିତ ସେମାନେ ପଦ୍ମ ଧରିଛନ୍ତି ।