ଇତିହାସ ରଚିଲେ ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକକୁ ନିଜ ନାଁରେ କରିଛନ୍ତି । ବିଶ୍ୱ ଦୌଡ଼କୁଦ ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ଵର୍ଣ୍ଣ ପଦକ ମିଳିଛି। ଅଲିମ୍ପିକ ସ୍ଵର୍ଣ୍ଣ ବିଜୟର ଦୁଇ ବର୍ଷ ପରେ ନୀରଜ ଚୋପ୍ରା ଏହି ସ୍ଵର୍ଣ୍ଣିମ ସଫଳତା ପାଇଛନ୍ତି। ବୁଦାପେଷ୍ଟରେ ହୋଇଥିବା ପୁରୁଷ ଜାଭଲିନ୍ ଫାଇନାଲରେ ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ୍ ହୋଇଥିଲା ।
ଦ୍ଵିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭଲିନ୍ ଫିଙ୍ଗି ସେ ଏହି ସଫଳତା ପାଇଥିଲେ। ପାରମ୍ପରିକ ପ୍ରତିଦ୍ଵଦ୍ଵୀ ପାକିସ୍ତାନର ଅର୍ଶଦ ନଦୀମ ଶ୍ରେଷ୍ଠ ପ୍ରଦର୍ଶନ ସହ ୮୭.୮୨ ମିଟରରେ ରୌପ୍ୟ ପଦକ ଜିତିଥିଲେ ଓ ଚେକ୍ ରିପବ୍ଲିକର ଜାକବ ଭାଡଲେଜ୍ ୮୬.୬୭ ମିଟରରେ ବ୍ରୋଞ୍ଜ ନେଇଥିଲେ । ନୀରଜଙ୍କ ଏହି ଐତିହାସିକ ସଫଳତାରେ ଦେଶ ଉତ୍ସବମୁଖର ହୋଇଛି। ତାଙ୍କୁ କ୍ରୀଡ଼ାପ୍ରେମୀଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି।
ଏଥିସହ ନୀରଜ ବିଶ୍ୱ ଚାମ୍ପିଅନ୍ସିପ୍ ରେ ସ୍ଵର୍ଣ୍ଣ ପାଇଁ ରଖିଥିବା ଆଶା ଏବେ ପୂରଣ ହୋଇଯାଇଛି। ଏଥିପୂର୍ବରୁ ଗତବର୍ଷ ରୌପ୍ୟ ଓ ୨୦୧୭ରେ ୧୫ତମ ସ୍ଥାନରେ ରହିଥିଲା ବେଳେ ସ୍ଵର୍ଣ୍ଣ ସ୍ଵପ୍ନ ସାକାର ହୋଇଛି। ଏପଟେ ଓଡ଼ିଆ ଜାଭଲିନ୍ ଥ୍ରୋୟର କିଶୋର କୁମାର ଜେନା ପଦକ ପାଇନଥିଲେ ମଧ୍ୟ ନିରାଶ କରିନାହାନ୍ତି। ଦମଦାର ପ୍ରଦର୍ଶନ ସହ ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୭୭ ମିଟର ଦେଇ କିଶୋର ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଡିପି ମନୁ ୮୪.୧୪ ମିଟରରେ ତାଙ୍କ ତଳକୁ ରହି ଷଷ୍ଠ ସ୍ଥାନରେ ରହିଥିଲେ ।
ସୂଚନା ଥାଉକି, ଇଭେଣ୍ଟ ଆରମ୍ଭରୁ ସମସ୍ତ ଭାରତୀୟଙ୍କ ନଜର ନୀରଜ, ମନୁ ଓ କିଶୋରଙ୍କ ଉପରେ ରହିଥିଲା। ଚତୁର୍ଥ ସ୍ଥାନରେ ଜାଭଲିନ୍ ଫିଙ୍ଗିବା ପାଇଁ ନୀରଜ ଆସିଥିଲା ବେଳେ ପ୍ରଥମ ପ୍ରୟାସ ଫାଉଲ ହୋଇଥିଲା। ମନୁ ୭୮.୪୪ ମିଟର ଓ କିଶୋର ୭୫.୭୦ ମିଟରରୁ ଅଭିଯାନ ଆରମ୍ଭ କରିଥିଲେ। ଦ୍ବିତୀୟ ପ୍ରୟାସରେ ନୀରଜ ସତର୍କତାର ସହ ଜାଭଲିନ୍ ଫିଙ୍ଗିଥିଲେ ।
ଏହି ପ୍ରୟାସରେ ସେ ୮୮.୧୭ ମିଟର ଫିଙ୍ଗି ସ୍ଵର୍ଣ୍ଣ ନିଶ୍ଚିତ କରିଥିଲେ । ମନୁ କିନ୍ତୁ ଫାଉଲ୍ ସହ ନିରାଶ କରିଥିଲେ। କିଶୋର ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣି ୮୨.୮୨ ମିଟରରେ ଦ୍ଵିତୀୟ ରାଉଣ୍ଡ ଶେଷ କରିଥିଲେ। ତୃତୀୟ ରାଉଣ୍ଡରେ ନୀରଜ ୮୬.୩୨ ମିଟର, ମନୁ ୮୩.୭୨ ମିଟର ଫିଙ୍ଗିବା ବେଳେ କିଶୋରଙ୍କ ଥ୍ରୋ ଫାଉଲ୍ ହୋଇଥିଲା। ତଥାପି ଦ୍ଵିତୀୟ ରାଉଣ୍ଡ ମାର୍କ ପାଇଁ ତିନି ଭାରତୀୟ ଶେଷ ୮ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।
ଶେଷ ପର୍ଯ୍ୟାୟର ପ୍ରଥମ ପ୍ରୟାସରେ କିଶୋର ୮୨.୫୫ ମିଟରରୁ ଆରମ୍ଭ କରିଥିଲା ବେଳେ ମନୁ ପୁଣି ଫାଉଲ୍ ହୋଇଥିଲେ। ନୀରଜ ୮୪.୬୪ ମିଟରରେ ଏହି କ୍ରମ ଶେଷ କରିଥିଲେ। ଏହି ପର୍ଯ୍ୟାୟର ଦ୍ଵିତୀୟ ପ୍ରୟାସରେ କିନ୍ତୁ କିଶୋର ୮୪.୭୭ ମିଟର ଜାଭଲିନ୍ ଫିଙ୍ଗି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ମନୁ ୮୩.୪୮ ଓ ନୀରଜ ୮୭.୭୩ ମିଟର ଫିଙ୍ଗିଥିଲେ। ଏଥର କିଶୋର ଦ୍ଵିତୀୟ ଥର ଫାଉଲ୍ ହୋଇଥିଲା ବେଳେ ମନୁ ୮୪.୧୪ ମିଟର ଓ ନୀରଜ ୮୩.୯୮ ମିଟର ପ୍ରଦର୍ଶନ ଦେଇଥିଲେ। ଶେଷ ପ୍ରୟାସ ଉପରେ ସମସ୍ତଙ୍କ ନଜର ରହିଥିଲା ।
ତେବେ ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଥିଲେ ନୀରଜ। ଏବେ ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତାରେ ସାରା ଦେଶ ଉତ୍ସବମୁଖର ହୋଇଯାଇଛି। କ୍ରୀଡାପ୍ରେମୀଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜ ଚୋପ୍ରାଙ୍କ ସଫଳତାରେ ଖୁସି ବ୍ୟକ୍ତ କରିବା ସହ ଶୁଭକାମନା ଜଣାଇଛନ୍ତି । କହିଛନ୍ତି ନୀରଜ ଚୋପ୍ରା ଶ୍ରେଷ୍ଠତାର ଉଦାହରଣ ।