ବିସର୍ଜନ ଆଗରୁ ରାତି ଅଧରୁ ଗାୟବ ହୋଇଗଲା ଗଣେଶଙ୍କ ମୂର୍ତ୍ତି, ଥାନାର ଦ୍ୱାରସ୍ତ ହେଲେ ପୂଜା କମିଟି

କଣ୍ଟାବାଞ୍ଜି: ଧୂମଧାମରେ ପାଳନ ହେଲା ଗଣେଶ ପୂଜା । ସାରା ଗାଁରେ ଥିଲା ଉତ୍ସବର ମାହୋଲ । ଆଜି ହୋଇଥାନ୍ତା ବିସର୍ଜନ । ଏ ନେଇ ସମସ୍ତ ପ୍ରସ୍ତୁତି କରିଥିଲା କମିଟି । କିନ୍ତୁ ରାତି ଅଧରେ ପୂଜା ମଣ୍ଡପରୁ ଗାଏବ ହୋଇଗଲା ଗଣେଶ ମୂର୍ତ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁରେ । ଘଟଣା ଟି ଥିଲା ଏମିତି । ଗଣେଶ ପୂଜା ଉପଲକ୍ଷେ ହେଉଥିବା ଏକ ସାସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ ପୂରା ଗାଁ ଲୋକ । ସେଠାରୁ ଫେରି ଆସି ଦେଖିବା ବେଳକୁ ପୂଜା ମଣ୍ଡପରେ ନାହିଁ ଗଣେଶଙ୍କ ମୂର୍ତ୍ତି । ଏହାକୁ ଦେଖି ସମସ୍ତଙ୍କ ମନରେ ଖେଳିଯାଇଥିଲା ବିଷାଦ । କେହି ଦୁବୃର୍ତ୍ତ ଗଣେଶଙ୍କ ମୂର୍ତ୍ତି ଚୋରି କରି ନେଇଯାଇଛି ।

ଏହା ପରେ କମିଟି ଲୋକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣା ଉପରେ ପୋଲିସ ତଦନ୍ତ କରିବା ଆରମ୍ଭ କରିଛି । କମିଟି ସଦସ୍ୟଙ୍କ କହିବା ଅନୁସାରେ, ଗତକାଲି ରାତିରେ ବଙ୍ଗୋମୁଣ୍ଡାର ଅନ୍ୟ ଏକ ସ୍ଥାନରେ ଗଣେଶ ପୂଜା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା । ଏହାକୁ ଦେଖିବାକୁ କମିଟି ସଦସ୍ୟମାନେ ଯାଇଥିଲେ । ବିଳମ୍ବିତ ରାତିରେ ଫେରି ପେଣ୍ଡାଲରେ ବିଘ୍ନରାଜଙ୍କ ମୂର୍ତ୍ତି ନଥିବା ଦେଖିବାକୁ ପାଇଥିଲେ । ପୋଲିସ ଏତଲା ଗ୍ରହଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।