ବିସ୍ଫୋରଣରେ ଥରି ଉଠିଲା ପାକିସ୍ତାନ: ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଆହତ

ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୨୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ବି ଅଛନ୍ତି । ଅନେକ ଲୋକ ଆହତ ହୋଇଛନ୍ତି । ପାକିସ୍ତାନୀ ଖବରକାଗଜ ଡନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିବିସି ଉର୍ଦ୍ଦୁ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ବେଲୁଚିସ୍ତାନର ମସ୍ତୁଙ୍ଗରେ ଅଲ ଫଲାହ ରୋଡ ସ୍ଥିତ ମହିଳା ମସ୍ଜିଦ ନିକଟରେ ଏକ ବିସ୍ଫୋରଣ ହୋଇଥିଲା । ଏଠାରେ ଏକ ଜୁଲୁସରେ ଭାଗ ନେବାପାଇଁ ଲୋକମାନେ ଏକାଠି ହୋଇଥିବାବେଳେ ଏହି ବିସ୍ଫୋଣ ଘଟିଥିଲା ।

ଏସଏସପି ଶୋଏବ ମସୁଦଙ୍କ କହିବା ଅନୁଯାୟୀ, ପୋଲିସ ଘଟଣାର ଯାଞ୍ଚ କରୁଛି । ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ କେହି ନିଜକୁ ଦାୟୀ କରି ନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଆତ୍ମଘାତୀ ବିସ୍ଫୋରଣ ଜଣେ ଡିଏସପିଙ୍କ କାର ନିକଟରେ ହୋଇଥିଲା । ସେ ଜୁଲୁସ ନିକଟରେ ଛିଡା ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରୁଛନ୍ତି । ଗୁରୁତର ଲୋକଙ୍କୁ କ୍ୱେଟା ସ୍ଥାନାନ୍ତର କରାଯାଉଛି ।