ବ୍ରହ୍ମପୁର ମହାନଗର ନିଗମର ୧୫୬ତମ ସ୍ୱାୟତ୍ତ ଶାସନ ଦିବସ ।

• ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ବିଭାଗୀୟ ମନ୍ତ୍ରୀଙ୍କ ପ୍ରଶଂସା ।

• ସରକାରୀ କାର୍ଯ୍ୟକ୍ରମରେ ବିଜେଡି ଦଳର ପ୍ରଚାରକୁ ଉଚିତ୍ ଜବାବ ଦିଆଯିବ – ବିରୋଧୀ ନେତା ।

• ଖ୍ୟାତନାମା କଣ୍ଠଶିଳ୍ପୀ ଦିପ୍ତିରେଖାଙ୍କ ସଙ୍ଗୀତ ଓ ଡ୍ୟାନ୍‌ସରେ ମଶଗୁଲ୍ ହେଲେ ଫ୍ୟାନ ।

ବ୍ରହ୍ମପୁର, ୩୧/୮ (ଅଭିଜିତ କର): ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୧୫୬ତମ ସ୍ୱାୟତ୍ତ ଶାସନ ଦିବସ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ନିଗମ କାର୍ଯ୍ୟାଳୟ ପରିସରରେ ନିଗମର ଡେପୁଟି ମେୟର ବିବେକ ରେଡ୍ଡୀଙ୍କ ସମେତ ସମସ୍ତ କର୍ପୋରେଟର, ଅଧିକାରୀ ଓ କର୍ମଚାରୀଙ୍କ ସମାଗମରେ ସ୍ୱାୟତ୍ତ ଶାସନର ଗର୍ବ ପତାକା ଉତ୍ତୋଳନ କରିଥିଲେ। ସେହିପରି ଅପରାହ୍ନ ସମୟରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଦ୍ଵାରା ଆୟୋଜିତ ମୀନା ବଜାରକୁ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ, ଏଥିରେ ଉଦ୍‌ଘାଟକ ରୂପେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସେହିପରି ସନ୍ଧ୍ୟାରେ ଉକ୍ତ ପଡ଼ିଆ ଠାରେ ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇଙ୍କ ସଭାପତିତ୍ୱରେ ଅୟୋଜିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନଗର ଓ ଗୃହ ଜନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ରୂପେ ମାନ୍ୟବର ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷା ରାଜେଶ୍ଵରା ଦୋରା, ଡେପୁଟି ମେୟର ଇ.ବିବେକ ରେଡ଼ୀ ପ୍ରମୁଖ ଜନ ପ୍ରତିନିଧି ମାନେ ଯୋଗଦାନ କରିଥିବା ବେଳେ, ପୀଡି ଡିଆରଡିଏ ୱି କୀର୍ତ୍ତି ଭାସନ, ମହାନଗର ନିଗମ କର୍ମଶନର ଜେ.ସୋନାଲ, ଅତିରିକ୍ତ କମିଶନର ସମ୍ବିତ ରାଉତଙ୍କ ସମେତ ନିଗମର ସମସ୍ତ କର୍ପୋରେଟର ମଞ୍ଚାସୀନ ଥିଲେ ।

ଏହି ପରିପ୍ରେକ୍ଷୀରେ ମେୟର ଶ୍ରୀମତୀ ଦଳେଇ ମହାନଗର ନିଗମର ବାର୍ଷିକ ବିବରଣୀ ତଥା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକର ଅବଗତ କରାଇଥିବା ବେଳେ, ଏହି ଅବସରରେ ମାନନୀୟ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ନିଜ ବକ୍ତବ୍ୟରେ ବ୍ରହ୍ମପୁରର ବିକାଶ ହେଲେ ସାରା ଜିଲ୍ଲାରେ ବିକାଶ ହେବ, ମୁଖ୍ୟମନ୍ତ୍ରୀଙ୍କ ସମଦୃଷ୍ଟି ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ପ୍ରତି ରହିଛି, ବିଭାଗ ପକ୍ଷରୁ ଅର୍ଥ ପ୍ରଦାନରେ କେବେ ହେଲେ ଅବହେଳା କରାଯାଇ ନାହିଁ, ତେଣୁ ସହରର ବିକାଶ ଜାରି ରହିଛି । ସମସ୍ତେ ମିଳିମିଶି ସହରର ବିକାଶ କରି ପାରିଲେ ଜିଲ୍ଲା ତଥା ସହରର ବିକାଶ ସମ୍ଭବ ବୋଲି ମନ୍ତ୍ରୀ କହିଥିଲେ। ସେହିପରି ଅନ୍ୟ ଅତିଥି ମାନେ ମଧ୍ୟ ମହାନଗର ନିଗମର ବହୁ ଉନ୍ନୟନ ମୂଳକ କାର୍ଯ୍ୟର ବହୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବହୁ ପ୍ରତିଯୋଗୀ ଯଥା ଛାତ୍ରଛାତ୍ରୀ, ଯୁବ ବର୍ଗ, ବରିଷ୍ଠ ନାଗରିକ, କିନ୍ନର ସମାଜ, ମହିଳା ମାନଙ୍କ ସମେତ ବହୁ ଜଣଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ, କାର୍ଯ୍ୟାଳୟର ଅଧିକାରୀ ଓ ଜନ ପ୍ରତିନିଧି ଏବଂ ସାମ୍ବାଦିକ ବନ୍ଧୁ ମାନଙ୍କ ମଧ୍ୟରେ ଆୟୋଜିତ ବନ୍ଧୁତ୍ବପୂର୍ଣ୍ଣ ଖେଳ ଗୁଡିକରେ ବିଜୟୀ ହୋଇଥିବା ଦଳ ଗୁଡ଼ିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ତେବେ ଏହି ଦିବସକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୁନୀୟ ଧନ୍ୟ ଲୋକକଳାଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ସହ ଓଡ଼ିଆ ଆଲବମ ଜଗତର ଖ୍ୟାତିନାମା ଗାୟିକା ଦୀପ୍ତିରେଖା ପାଢ଼ୀ, ନବ୍ୟା ଜ୍ୟୋତି, ଅନ୍ତରା ଚକ୍ରବର୍ତ୍ତି, ମାନ୍ସି ମିଶ୍ର, ଆଶୁତୋଷ ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜ ସଙ୍ଗୀତର ସୁମଧୁର ସ୍ଵରରେ ଜନ ସାଧାରଣଙ୍କ ମନୋରଞ୍ଜନ କରିଥିଲେ। ସେହିପରି ସିଜିଲିଂ ଡ୍ୟାନ୍‌ସ ଗ୍ରୁପର ଆଧୁନିକ ଓ ସାଂସ୍କୃତିକ ନୃତ୍ୟ ପରିବେଷଣ ବହୁ ଶିବ ଭକ୍ତଙ୍କୁ ମନମୁଗ୍ଧ କରିଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନାରେ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ପରିବେଷଣ ହୋଇଥିବା ନୃତ୍ୟ ମଧ୍ୟରେ ଏକ ଦଳ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ରାଜନୈତିକ ଦଳର ଚିହ୍ନ ସହ ବିଜେଡି ର ରାଜନୈତିକ ଦଳର ପ୍ରଚାର ପ୍ରସାର ଭଳି ସଙ୍ଗୀତ ପରିବେଷଣ ହୋଇଥିଲା । ଏବଂ ଏହି ସଙ୍ଗୀତରେ ସହରର ଦୁଇ ଜଣ ଜନ ପ୍ରତିନିଧି ବା କର୍ପୋରେଟର ସଭା ସ୍ଥଳରେ ନାଚ କରିବା ସହ ଦଳୀୟ ଚିହ୍ନର ନାରା ଦେଇଥିଲେ । ଏହି ଘଟଣାକୁ ଦେଖିବା ପରେ ମେୟର ଶ୍ରୀମତୀ ଦଳେଇ ବାରଣ କରିବା ସହ ସଙ୍ଗୀତକୁ ଅଧାରୁ ବନ୍ଦ କରିଥିଲେ । ତେବେ ଏହିଭଳି ଏକ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ଦଳର ପ୍ରଚାର ପ୍ରସାର କରିବା କେତେ ଦୂର ଯଥାର୍ଥ ତାହା କେବଳ ବ୍ରହ୍ମପୁର ସହରବାସି ଓ ବିରୋଧୀ ଦଳ ଉଚିତ୍ ଜବାବ ଦେବେ ବୋଲି କିଛି ବିରୋଧୀ ନେତା ମତ ପ୍ରକାଶ କରିଛନ୍ତି।