ବ୍ରହ୍ମପୁର, ୫/୯ (ଅଭିଜିତ କର): ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩ନଂ ୱାର୍ଡ଼ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ସମ୍ମିଳନୀ କକ୍ଷରେ ମଙ୍ଗଳବାର ପୂର୍ବାହ୍ନରେ ମହାନଗର ନିଗମ ପକ୍ଷରୁ ଏକ ୱାର୍ଡ଼ ସଭାରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମେୟର ସଂଘମିତ୍ରା ଦଳେଇ, କମିଶନର ଜେ ସୋନାଲ, ଡେପୁଟି କମିଶନର ବିନୋଦ ବେହେରାଙ୍କ ସମେତ ସ୍ଥାନୀୟ କର୍ପୋରେଟର ସବିତା ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ସେଥି ମଧ୍ୟରୁ ଅଞ୍ଚଳରେ ଥିବା ପ୍ରମୁଖ ସମସ୍ୟା ଗୁଡ଼ିକ କିଭଳି ସମାଧାନ ହୋଇପାରିବ ସେ ଉପରେ କମିଶନର ଓ ମେୟର ସ୍ଥାନୀୟ କର୍ପୋରେଟର ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ।
ତେବେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟାର ସମାଧାନ କରିବା ଲାଗି ପ୍ରତିଦିନ ବିଭିନ୍ନ ୱାର୍ଡ଼ରେ ଜନ ଅଭିଯୋଗ ଶୁଣାଣି ହେଉଛି, ସେଥି ମଧ୍ୟରୁ କିଛି ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯିବା ସହ କିଛି ସମସ୍ୟାର ସମାଧାନ ପାଇଁ ଉଚ୍ଚ ପଦକ୍ଷେପ ନିଆଯାଉଛି ବୋଲି ମେୟର କହିଥିଲେ । ସେହିପରି କମିଶନର କହିଛନ୍ତି ଯେ, ଏହି ଅଭିଯୋଗ ଶୁଣାଣୀରେ ପ୍ରାୟତଃ ଆବାସ, ରାସନ୍ କାର୍ଡ, ଭତ୍ତା ଏବଂ ପ୍ରମୁଖ ଭାବେ ପାଣିର ସମସ୍ୟା ଉପରେ ରହିଥିଲା । ସେସବୁ ସମସ୍ୟାର ସମାଧାନ ପାଇଁ ଉଚ୍ଚ ପଦକ୍ଷେପ ଗ୍ରହଣ କରିବାକୁ ଥିବା ବେଳେ, ଅନ୍ୟ କିଛି ମୌଖିକ ସମସ୍ୟା ଗୁଡ଼ିକୁ ତୁରନ୍ତ ସମାଧାନ କରାଯାଇଛି । ଏହି ଅବସରରେ ମହାନଗର ନିଗମ ପକ୍ଷରୁ ଏହିଭଳି ଏକ ଜନ ହିତକର ଅଭିଯାନ ଆରମ୍ଭ କରାଯାଇଥିବା ନେଇ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସବିତା ସାହୁ ସାଧୁବାଦ ଜଣାଇ ସମସ୍ତ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ କରାଯିବ ବୋଲି ଆଶା ପ୍ରକଟ କରିଛନ୍ତି ।