ଭାରସାମ୍ୟ ହରାଇ କେନାଲ୍‌କୁ ଖସିଲା ବସ୍‌, ୮ ଯାତ୍ରୀ ମୃତ, ୧୦ରୁ ଅଧିକ ଆହତ

ପଞ୍ଜାବରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ଭାରସ୍ୟାମ ହରାଇ କେନାଲକୁ ଖସିପଡିଥିଲା ଯାହା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ଏକ ଘରୋଇ ବସ ମୁକ୍ତସରରୁ କୋଟକପୁରା ଅଭିମୁଖେ ଯାତ୍ରା କରୁଥିଲା । ଯାତ୍ରା କରୁଥିବା ସମୟରେ କୋଟକପୁରା ରୋଡରେ ଥିବା ସରହିନ୍ଦ କେନାଲକୁ ଖସିପଡିଥିଲା । ବସଟି ଭାରସ୍ୟାମ ହରାଇ ଖସିପଡିବା ଫଳରେ ୮ ଜଣଙ୍କର ମୃତ୍ୟୁ ହେବାସହିତ ୧୦ ଜଣରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।

ପୋଲିସଙ୍କ ସୂଚନା ଅନୁସାରେ, ବସରେ ପ୍ରାୟ ୬୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ଆହତଙ୍କୁ ଓ କେନାଲରେ ପଡିଥିବା ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାଟି ଘଟିବା ସମୟରେ ବସଟି ବହୁତ ଜୋରରେ ଯାତ୍ରା କରିଥିବା ସୂଚନା ମିଳିଥିଲା । ବହୁତ ଜୋରରେ ଆସୁଥିବାରୁ ଭାରସ୍ୟାମ ହରାଇ କେନାଲକୁ ଖସିପଡିଥିଲା । ପୋଲିସ କେନାଲ ଭିତରୁ ୮ ଜଣଙ୍କର ମୃତଦେହକୁ ଉଦ୍ଧାର କରିଛି । ଖବର ପାଇ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତ ଓ ମୃତକଙ୍କୁ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାଟି ପଞ୍ଜାବ ସହରରେ ଏକ ଦୁଃଖର ବାତାବରଣ ସୃଷ୍ଟି କରିଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଆହତ ହୋଇଛନ୍ତି ।