ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଠିକାଦାରଙ୍କ ଠାରୁ ନେଉଥିଲେ ୭ ହଜାର ଟଙ୍କା ଲାଞ୍ଚ

ଭିଜିଲାନସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର । ରାୟଗଡ଼ା ଜନସ୍ବାସ୍ଥ୍ୟ ଡିଭିଜନର ଆସିଷ୍ଟାଣ୍ଟ ଇଂଜିନୟର ତଥା ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ ସ ହାତରେ ଧରାପଡ଼ିଛନ୍ତି । କଣ୍ଟ୍ରାକ୍ଟର ଓ ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ପାଇଁ ଫାଇଲ ପ୍ରୋସେସ କରିବାକୁ ସେ ଏହି ଲାଞ୍ଚ ନେଉଥିଲେ । ଆସିଷ୍ଟାଣ୍ଟ ଇଂଜନିୟର ରମାକାନ୍ତ ମଲ୍ଲିକଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ଏଥିସହ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ତିନିଟି ସ୍ଥାନରେ ଚଢ଼ାଉ କରାଯାଇଛି । ଝଞ୍ଜାବତି ନଦୀରେ ଥିବା ପମ୍ପ ହାଉସ ମରାମତି ବାବଦର ଏଷ୍ଟିମେଟ କରିବା ପାଇଁ ଠିକାଦାର ସୁମନ୍ତ ପରିଡ଼ାଙ୍କ ଠାରୁ ଆଜି ସେ ଲାଞ୍ଚ ନେଉଥିଲେ।

ଗତ ଫେବୃୟାରୀ ମାସରେ ଏହାର ମରାମତି କାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଷ୍ଟିମେଟ ହୋଇନଥିଲା। ଏଷ୍ଟିମେଟ କରିବା ପାଇଁ ବାରମ୍ବାର ଲାଞ୍ଚ ମାଗିବାରୁ ଠିକାଦାର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏହାପରେ ଆଜି ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ପରିସରରେ ଥିବା ନିଜ ପ୍ରକୋଷ୍ଠରେ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ କୁମାର ନାୟକ ଓ ଇନ୍ସପେକ୍ଟର ତରୁଲତା ବେହେରା ଚଢ଼ାଉ କରି ଧରିଥିଲେ। ଏହାପରେ ସିରିକଣା ସ୍ଥିତ ତାଙ୍କ ଭଡାଘରେ ମଧ୍ୟ ଚଢ଼ାଉ କରିଥିଲେ। ସେଠାରୁ ତାଙ୍କୁ ରାୟଗଡ଼ା ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟ ନିଆଯାଇଛି।