ଭୁଶୁଡିଲା ନିର୍ମାଣାଧୀନ କୋଠାର ଲିଫ୍ଟ, ୭ ଶ୍ରମିକ ମୃତ

ଆଜିକାଲି ଅଫିସ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟ ଓ କାର୍ଯ୍ୟାନୁଷ୍ଠାନମାନଙ୍କରେ ଲିଫ୍ଟର ବ୍ୟବସ୍ଥା କରାଯାଉଛି । ଏମିତିକି ଲୋକେ ନିଜେ ରହୁଥିବା ଘରେ ଗୋଟିଏ ମହଲାରୁ ଆର ମହଲାକୁ ଯିବା ପାଇଁ ଲିଫ୍ଟର ବ୍ୟବହାର କରିଥାନ୍ତି । କିନ୍ତୁ ଏବେ ଲିଫ୍ଟରେ ଘଟିଥିବା ଅଘଟଣ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଛି । ଲିଫ୍ଟ କେତେବେଳେ ଛିଡ଼ି ଯାଉଛି ତ ପୁଣି କେତେବେଳେ ଅଧା ବାଟରେ ଅଟକି ଯାଉଛି । ସେଇ ସମୟରେ ଲିଫ୍ଟରେ ଯାତ୍ରା କରୁଥିବା କେତେକ ଲୋକଙ୍କର ଜୀବନ ଚାଲିଯାଉଛି ତ ପୁଣି କିଏ ଗୁରୁତର ଆହତ ହେଉଛନ୍ତି । ଦିନକୁ ଦିନ ଲିଫ୍ଟରେ ଲୋକଙ୍କ ଜୀବନ ଯିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ପୁଣି ଲିଫ୍ଟରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲିଯାଇଛି ୭ ଜୀବନ ।

ସୂଚନା ଅନୁସାରେ, ରବିବାର ମହାରାଷ୍ଟ୍ର ଥାନେରେ ୪୦ ମହଲା ବିଶିଷ୍ଟ ଏକ ବିଲ୍ଡିଂରେ ଥିବା ଲିଫ୍ଟ ଛିଣ୍ଡି ପଡିଥିଲା । ଯାହାଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଥାନେ ମୁନସିପାଲ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି । ୭ ଜଣ ଶ୍ରମିକ ୪୦ ମହଲା ବିଲ୍ଡିଂର ଛାତରେ କିଛି କାମ କରୁଥିଲେ । କାମସାରି ଲିଫ୍ଟରେ ୭ ଜଣ ଶ୍ରମିକ ଫେରୁଥିବା ସମୟରେ ଘଟିଥିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲିଯାଇଥିଲା ୭ ଜଣ ଶ୍ରମିକଙ୍କ ଜୀବନ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ସେମାନଙ୍କ ପରିଚୟ ଖୋଜିଥିଲା । ଫଳରେ ୬ଜଣ ଶ୍ରମିକଙ୍କ ପରିଚୟ ମିଳିଥିଲା କିନ୍ତୁ ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ବୋଲି ସୂଚନା ମିଳିଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।