ବ୍ରହ୍ମପୁର, ୨୭/୪ (ଅଭିଜିତ କର): ଦ୍ୱିତୀୟ ରଜନୀରେ ପହଞ୍ଚିଲା ବ୍ରହ୍ମପୁର ମହାନଗର ମହୋତ୍ସବ, ବୁଧବାର ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହ ଗଞ୍ଜାମର କଳା ଓ କଳାକାରଙ୍କ ପାଇଁ ଏହା ଏକ ଶ୍ରେଷ୍ଠ ମଞ୍ଚ ସାଜିଥିବା କହିଛନ୍ତି । ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ବରିଷ୍ଠ ସାମ୍ୱାଦିକ ଡ.ଜଗନ ମୋହନ ମହାପାତ୍ର ଯୋଗ ଦେଇଥିବା ବେଳେ ମହୋତ୍ସବ କମିଟିର ସମ୍ପାଦକ ଗୋପାଳ ପଟ୍ଟନାୟକ, ଯୁବ ସାମ୍ବାଦିକ ରାଜୀବ ଲୋଚନ ମିଶ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବନମାଳୀ ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ଦ୍ୱିତୀୟ ଦିନର ପ୍ରାରମ୍ଭରେ “ସ୍ରୋତସ୍ଵିନି ସାହିତ୍ୟ ସଂସଦ” ବ୍ରହ୍ମପୁର ଦ୍ଵାରା ସାହିତ୍ୟି ଆଲୋଚନା ଚକ୍ର ଓ କବିତା ଆବୃତ୍ତି କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ପ୍ରଫୁଲ୍ଲ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମେୟର ସଂଘମିତ୍ରା ଦଳେଇ ଉଦଘାଟନ କରିଥିବା ବେଳେ ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଦୟସିନ୍ଧୁ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ରୋତସ୍ଵିନି ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀମତୀ ସୁଜାତା ଶତପଥୀ, ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ବିନୋଦ ବେହେରା, ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ତଥା ସାହିତ୍ୟିକ ଡ଼ାକ୍ତର ରାଜେନ୍ଦ୍ର କୁମାର ବେହେରା ଯୋଗ ଦେଇଥିଲେ । ପରିଶେଷରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଦିତୀୟ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ଷ୍ଟାର ଲାଇଟ୍ ଡେନ୍ସ ଗ୍ରୁପ୍ ଦ୍ଵାରା ଆଧୁନିକ ନୃତ୍ୟ ପରିବେଷଣ ହୋଇଥିଲା । ଏହି ଅବସରରେ ପତିତ ପାବନି ମାଁ ଠାକୁରାଣୀ ନାମକ ଏକ ଭଜନର ଉନ୍ମୋଚନ କରାଯାଇଥିଲା । ମଞ୍ଚ ପରିଚାଳନାରେ ଶିବାନନ୍ଦ ବାରିକ ଦାୟିତ୍ଵ ବହନ କରିଥିବା ବେଳେ, ପରିଶେଷରେ କମିଟି ସଦସ୍ୟ ତଥା ସାମ୍ବାଦିକ ସୁଦିପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲିଙ୍କୁ ଡାକୁଆ, ସିମାଞ୍ଚଳ ସାହୁ, ଶଙ୍କର ରଣା, ସ୍ଵାଧୀନ କୁମାର ପାତ୍ର, ଚନ୍ଦନ ସାହୁ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ ।