ମିଶନ ରାଣୀ ମାଁ ମାରୀୟାଙ୍କ ନବୀନାର ପ୍ରଥମ ଦିବସ

ବ୍ରହ୍ମପୁର, ୧୮/୧୧ (ଅଭିଜିତ କର): ମିଶନ ରାଣୀ ମାଁ ମାରୀୟାଙ୍କ ପର୍ଵର ଉଦ୍ଘାଟନ ଦିବସ ଅର୍ଥାତ ପବିତ୍ର ନବୀନାର ପ୍ରଥମ ଦିନ ମହା ଆଡ଼ମ୍ବର ସହିତ ମିଶନ ରାଣୀ ମହାଦେବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ନବୀନା ଉତ୍ସଵ ୧୮ ତାରିଖ ଠାରୁ ଆରମ୍ଭ ହୋଇ ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ଏବଂ ୨୭ ତାରିଖ ଦିନ ମିଶନ ରାଣୀ ମାଁ ମାରୀୟାଙ୍କ ପର୍ଵ ଭକ୍ତିଭାଵ ସହ ପବିତ୍ର ଦିବ୍ୟଯଜ୍ଞ ଉତ୍ସର୍ଗ କରି ପାଳନ କରାଯିବ। ଏହି ପବିତ୍ର ଦିବ୍ୟଯଜ୍ଞରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ, ସହକାରୀ ଯାଜକ ପ୍ରଭୁଦାସ ନାୟକ, ଯାଜକ ସଂଜୀବ କୁମାର ବୀର, ବ୍ରହ୍ମପୁର ଧର୍ମ ପ୍ରଦେଶ, ଯାଜକ ଏଞ୍ଜେଲୋ ରଣସିଙ୍ଗ, ଭିଆନୀ ଭବନ, ଯାଜକ ଥୋମାସ ହାନ୍ସଦା, ଭିଆନୀ ଭବନ,ଯାଜକ ଅମର ସିଂ, କାପୁଚିନ ଯାଜକ ଗୋଷ୍ଠୀ ଓ ଯାଜକ ଅଜୟ ବଳିଆରସିଂ, କାପୁଚିନ ଯାଜକ ଗୋଷ୍ଠୀ ଦିବ୍ୟଯଜ୍ଞରେ ଉପସ୍ଥିତ ଥିଲେ। ଏଥିରେ ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ ଦିବ୍ୟଯଜ୍ଞ ପୌରହିତ୍ୟ କରିଥିଲେ ଏବଂ ଯାଜକ ସଂଜୀବ କୁମାର ବୀର, “ମାଁ ମେରୀ ଦିବ୍ୟ ଅନୁଗ୍ରହର ମାତା”, ଏହି ବିଷୟରେ ଉଦବୋଧନ ଦେଇ ସର୍ବ ମଣ୍ଡଳୀକୁ ପ୍ରାଞ୍ଜଳ ଭାଷାରେ ବୁଝାଇ ଥିଲେ। ବ୍ରହ୍ମପୁର ଧର୍ମାଞ୍ଚଳର ଜିଶସ୍ ୟୁଥର ଯୁବ ଗୋଷ୍ଠି ସ୍ୱାଗତ ନୃତ୍ୟ ପରିବେଷଣ ଠାରୁ ଆରମ୍ଭ କରି ସଙ୍ଗୀତ ଗାୟନ ସହ ଦିବ୍ୟଯଜ୍ଞ ଉତ୍ସର୍ଗରେ ସାହାଯ୍ୟ କରିଥିଲେ। ଏହି ଉଦ୍ଘାଟନ ନବୀନା ଉତ୍ସଵର ଶୃଙ୍ଖଳିତ ଓ ସୁନ୍ଦର ପରିଚାଳନା ନିମନ୍ତେ ଅନୁଷ୍ଠାନର ସେବାଭ୍ରାତା ଓ ସେବାଭଗ୍ନୀ ଗଣ, ଧର୍ମାଞ୍ଚଳର ପାଳକୀୟ ପରିଷଦର ସଭ୍ୟ ସଭ୍ୟା ଗଣ ଏବଂ ପର୍ବର ବିଭିନ୍ନ କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଏହି ଉଦ୍ଘାଟନ ଉତ୍ସବରେ ସହଯୋଗ କରିଥିଲେ।