ଯୁବକଙ୍କୁ ନିଶା ଦେଇ ଲୁଟ । ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଯୁବକଙ୍କୁ ନିଶା ଦେଇ ଟଙ୍କା, ସୁନା ଲୁଟ କଲେ ଦୁର୍ବୁର୍ତ୍ତ। ଗତକାଲି ବିଳମ୍ବିତ ରାତିରେ ବାଙ୍କି ବୈଦେଶ୍ଵର ଅଞ୍ଚଳର ରାଘବାନନ୍ଦ ମହାପାତ୍ରଙ୍କ ପୁଅ ରବି ନାରାୟଣ ମହାପାତ୍ର ଏହି ଲୁଟର ଶିକାର ହୋଇଛନ୍ତି । ସୂଚନା ମୁତାବକ ୨୨ ବର୍ଷିୟ ରବି ନାରାୟଣ ଦିଲ୍ଲୀରୁ ଟ୍ରେନ ଯୋଗେ ଭୁବନେଶ୍ୱର ଫେରିଥିଲେ। ବିଳମ୍ବିତ ରାତି ହେବାରୁ ସେ ମାଷ୍ଟରକ୍ୟାଣ୍ଟିନରୁ ଅଟୋ ଯୋଗେ କଳିଙ୍ଗ ନଗରରେ ଥିବା ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଅଟୋରେ ନିଶା ଦିଆଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ଠାରୁ ପ୍ରାୟ ୨୦ହଜାର ଟଙ୍କା ଏବଂ ସୁନା ମୁଦି ଓ ଚେନ ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଲୁଟ କରିବା ପରେ ଦୁର୍ବୁତ୍ତ ରବିଙ୍କୁ ପୋଖରିପୁଟ ସ୍ଥିତ ମଧୁସୂଦନ ପାର୍କ ନିକଟରେ ଫୋପାଡ଼ିଦେଇଥିଲେ ।
ସକାଳୁ ମର୍ଣ୍ଣି ୱାକରେ ଆସିଥିବା ଲୋକେ ରାସ୍ତା କଡରେ ରବି ଙ୍କୁ ଦେଖି ତାଙ୍କ ପରିବାର ଲୋକଙ୍କୁ ଫୋନ କରିବା ପରେ ତାଙ୍କୁ ସେଠୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ପାଖରୁ ୨୦ ହଜାର ଟଙ୍କା, ସୁନା ଚେନ୍ ଓ ମୁଦି ଦୁର୍ବୃତ୍ତମାନେ ଲୁଟି ନେଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ପରେ କମିଶନରେଟ୍ ପୋଲିସର ରାତ୍ରିକାଳୀନ ପେଟ୍ରୋଲିଂ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେପରି ଲାଗୁଛି ରାଜଧାନୀ ଏବେ ଅସୁରକ୍ଷିତ ପଡ଼ିଛି। ଦିନକୁ ଦିନ ଏଠାରେ ଅପରାଧ ବଢ଼ିଚାଲିଛି । ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଅପରାଧୀମାନେ ଦିନ ଦ୍ୱିପରରେ ହେଉ ବା ବିଚ୍ ରାସ୍ତାରେ ହତ୍ୟା ଓ ଲୁଟ୍ କରିବାକୁ ପଛାଉନାହାନ୍ତି ।