ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ।

• ସଙ୍ଘ, ସଙ୍ଗଠନ, ବିଦ୍ୟାର୍ଥୀ, ଶିକ୍ଷୟତ୍ରୀ ଓ ସମାଜସେବୀ ମାନଙ୍କ ରକ୍ତଦାନ, ୬୧ ୟୁନିଟ ରକ୍ତ ସଂଗୃହୀତ ।

ବ୍ରହ୍ମପୁର, ୭/୬ (ଅଭିଜିତ କର): ବାଲେଶ୍ଵର ଜିଲ୍ଲାର ବାହନାଗା ଠାରେ ହୋଇଥିବା ଦୁର୍ଘଟଣାକୁ ନେଇ ମୃତକ ପରିବାରକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆହତ ଓ ଗୁରୁତରଙ୍କ ପ୍ରତି ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବୁଧବାର ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଉଦଘାଟକ ଭାବେ ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ସତ୍ୟବ୍ରତ ଭୋଇ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିବା ବେଳେ, ଅତିଥି ରୂପେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ଏମକେସିଜି ମେଡିକାଲ ଅଧିକ୍ଷକ ଡାକ୍ତର ପ୍ରଫେସର ସୁଚିତ୍ରା ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଯୋଗଦେଇ ବର୍ତ୍ତମାନର ପରିସ୍ଥିତିରେ ରକ୍ତର ଆବଶ୍ୟକତା ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଯେପରି ଏହାର ଭୂମିକା ନେଇ ଆୟୋଜନ କରିଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ବ୍ରହ୍ମପୁର ସହରର ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସହରର ବିଭିନ୍ନ ପ୍ରମୁଖ ସଂଗଠନର କର୍ମକର୍ତ୍ତା, ବିଦ୍ୟାର୍ଥୀ, ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇ ସ୍ଵେଚ୍ଛାକୃତ ଭାବେ ୬୧ ୟୁନିଟ ରକ୍ତଦାନ କରିଥିଲେ। ଯାହାକି ୧୫ରୁ ଉର୍ଦ୍ଧ୍ବ ମହିଳା ଓ ଛାତ୍ରୀ ମାନେ ଏଥିରେ ରକ୍ତଦାନ କରିବା ସହ ପ୍ରଥମ ଥର ପାଇଁ ବହୁ ଯୁବକ, ଯୁବତୀ ଓ ମହିଳା ମାନେ ଏହି ଶିବିରରେ ଯୋଗଦେଇ ରକ୍ତଦାନ କରିଥିବା ବେଳେ, ତିନୋଟି ଦମ୍ପତି ଏଥିରେ ରକ୍ତଦାନ କରି ଏକ ନିଆରା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ରାଜନେତା ମାନେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ବିଶ୍ଵନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ, ସାମ୍ବାଦିକ ସମୀର କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ସୁଦୀପ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ସହ ନାରାୟଣ ମହାଙ୍କୁଡ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହି ଶିବିରରେ ସହରର ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ପରିଚାଳନରେ ସହଯୋଗ କରିଥିଲେ।