ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା, ପୁଣି ୧୮ ରୁ ବଢିବ ବର୍ଷାର ବିସ୍ତୃତି

ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା । ଲଗାଣ ବର୍ଷା ପରେ ଆଜି ମିଳିବ ତ୍ରାହି । ଆଜିଠୁ ବର୍ଷାର ପରିମାଣ କମିବ । ସେହିପରି ଶନିବାର ଓ ରବିବାର ବିଶେଷ ବର୍ଷା ହେବ ନାହିଁ । ତେବେ ୧୮ଓ ୧୯ ବେଳକୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିପାରେ । ତେବେ ଘୂର୍ଣ୍ଣିବଳୟ ସମ୍ଭାବନା ଥିବାରୁ ବର୍ଷା ବଢ଼ିବ ବୋଲି ଅନୁମାନ କରାଯାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୪୭.୫ ମିମି ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୭.୬ ମିମି ତୁଳନାରେ ୫୨୪ ପ୍ରତିଶତ ଅଧିକ ରହିଛି ବୋଲି ପାଣପିାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାୟଗଡ଼ା ଜିଲ୍ଲାରେ ହାରାହାରି ବର୍ଷା ୭୨.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୪.୩ ମିମି ତୁଳନାରେ ୧୫୭୬ ପ୍ରତିଶତ ଅଧିକ ରହିଛି।

ବଲାଙ୍ଗିର ବ୍ଲକରେ ୨୪ ଘଣ୍ଟା ଭିତରେ ୨୧୫ ମିଲିମିଟର ବର୍ଷା ହୋଇଛି । ସକାଳୁ ସନ୍ଧ୍ୟା ଭିତରେ ଆହୁରି ୧୦୮ ମିମି ବର୍ଷା ଢାଳିଛି । ବଲାଙ୍ଗିର ସହରରେ ସ୍ଥିତି ସାଂଘାତିକ ଅଛି । ବର୍ଷା ହେତୁ ଗତକାଲି ବଲାଙ୍ଗିରର ସବୁ ସ୍କୁଲ ବନ୍ଦ ଥିଲା। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସ୍ଥିତି ବେହାଲ୍‌ କରିଦେଇଛି । ୨୩ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା ହେତୁ ବଂଶଧାରା ଫୁଲି ବିପଦ ସଙ୍କେତ ଟପିଛି । ମହାନଦୀ ଉପର ମୁଣ୍ଡରେ ବି ପ୍ରବଳ ବର୍ଷା ଲାଗି ରହିଛି । ତେବେ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ରାଜ୍ୟରେ ବନ୍ୟା ଆସିଲା ଭଳି ସ୍ଥିତି ନାହିଁ । ଉପରମୁଣ୍ଡରେ ବର୍ଷା ବଢ଼ିଥିଲେ ବି ତଳମୁଣ୍ଡ ଶୁଖିଲା ପଡ଼ିଛି । ଯେତିକି ପାଣି ଆସୁଛି, ସେଥିରେ ବି ବନ୍ୟା ସମ୍ଭାବନା କମ୍‌ ।

ସେହିପରି ଗତ ୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କଳାହାଣ୍ଡି ଏମରାମପୁରରେ ୧୯୩ ମିମି, ଥୁଆମୁଳ ରାମପୁର, କଣ୍ଟାମାଳ ଓ ବୌଦ୍ଧରେ ୧୫୮ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ୫୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ ଜିଲ୍ଲାର ୨୩ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ରହିଛି । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ସହ ମାଟିଘର କାନ୍ଥ ଭୁସୁଡିବା, କଚ୍ଚା ରାସ୍ତା ପ୍ରଭାବିତ ହେବାର ଆଶଙ୍କା ରହିଛି ।