ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ନୀତି ଅନୁଷ୍ଠିତ ହେବ । ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ଅବସରରେ ଏହି ନୀତି ହେବ । ଏହି ନୀତି ମଧ୍ୟାହ୍ନ ଧୂପ ପରେ ହୋଇଥାଏ । ଭକ୍ତମାନେ ଏହି ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଜନ୍ମାଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଚାଲିଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା । ସବୁଦିନ କିଛି ନା କିଛି ଦେଖିବାକୁ ମିଳୁଛି । ସେହିପରି ଆଜି ଏକାଦଶୀ ଅବସରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ନୀତି ଅନୁଷ୍ଠିତ ହେବ । ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ର କାଷ୍ଠ ନିର୍ମିତ ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ ୩୦ ଫୁଟ ଲମ୍ୱର ବିରାଟକାୟ ସପ୍ତଫେଣିଆ କାଳୀୟ ସର୍ପକୁ ରତ୍ନସିଂହାସନ ଉପରକୁ ନିଆଯାଇଥାଏ। ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ଠାରୁ କଂସ ବଦ୍ଧ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଫେଣିଆ ମସ୍ତକ ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମସ୍ତ ଶରୀରକୁ ଆବୃତ କରି ରଖାଯାଏ। ଦେବୀ ସୁଭଦ୍ରାଙ୍କୁ ସାଧାରଣ ବେଶରେ ଓ ବଳଭଦ୍ରଙ୍କ ଦୁଇ ପାର୍ଶ୍ୱରେ ଗୋଟିଏ ଲେଖାଏଁ କାଷ୍ଠ ନିର୍ମିତ ଗାଇ ବାଛୁରୀ ରଖାଯାଇଥାଏ।
ମଧ୍ୟାହ୍ନ ଧୂପ ପରେ ରତ୍ନସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସୁସଜ୍ୱିତ କରାଯାଇଥାଏ । ତ୍ରୟୋଦଶୀ ତିଥିରେ କୃଷ୍ଣବଳରାମ ବେଶରେ ମହାପ୍ରଭୁ ଦର୍ଶନ ଦେବାର ପରମ୍ପରା ରହିଛି । ଏହି ବେଶରେ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ୱାସ ରହିଛି । କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେବେ କାଳିଆ ଓ ବଳିଆ । ଏହି ବେଶରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯିବ । ମସ୍ତକରେ ସୋଲ, ବେତରେ ତିଆରି ସ୍ୱର୍ଣ୍ଣ କିଆ ଖୋସା ଯାଇଥାଏ ।