ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ, କାଲିଠୁ ସ୍କୁଲରେ ଦେବେ ଯୋଗ

ଆନ୍ଦୋଳନ ସ୍ଥଗିତ ରଖିଲେ ପ୍ରାଥମିକ ଶିକ୍ଷକ। ସ୍ଥଗିତ ହେବା ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଲେ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର।

ସୂଚନା ଥାଉକି ଗ୍ରେଡ୍‌ ପେ’ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ ୨୦୧୭ରୁ ପୁରୁଣା ପେନସନ ଲାଗୁ କରିବା ସହ ୨୦୨୦ ମାର୍ଚ୍ଚ ୧ ତାରିଖରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକମାନଙ୍କୁ ନିୟମିତ କରିବା, ଓଆରଏସ୍‌ପି-୨୦୧୭ର ବକେୟା ୫୦ ପ୍ରତିଶତ ପ୍ରଦାନ କରିବା ସହିତ ନିୟମିତ ଶିକ୍ଷକ ଭଳି ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବା ଦାବି କରାଯାଇଛି। ଚଳିତମାସ ୮ ତାରିଖରେ ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ଗତ ୧୧ ଦିନ ହେଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପାଇଁ ପାଠ ପଢା ଏକପ୍ରକାର ଠପ୍ ହୋଇଯାଇଛି। ଗତକାଲି ଷ୍ଟିୟରିଂ କମିଟି ବି ସଫା ସଫା କହିଥିଲା, ଏବେ ଆନ୍ଦୋଳନ ଥମିବାର ପ୍ରଶ୍ନ ଉଠୁନି। ଏପରିକି ଆନ୍ଦୋଳନ ଆରମ୍ଭ ହୋଇନଥିବା ଜିଲ୍ଲାକୁ ପ୍ରତିନିଧି ଦଳ ଯିବେ ଏବଂ ସେଥିପାଇଁ ୫ଟି ଜୋନ୍ କରାଯାଇ ଦାୟିତ୍ୱ ମଧ୍ୟ ଦିଆଯାଇଛି ବୋଲି କୁହାଯାଇଥିଲା।