• ଉଦଯାପନୀ ସନ୍ଧ୍ୟାରେ ଯୋଗଦେଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ।
ବ୍ରହ୍ମପୁର, ୧୧/୫ (ଅଭିଜିତ କର): ଓଡ଼ିଶା ନାଟକ ସମାରୋହ ସମିତି ତରଫରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ୧୫ତମ ରାଜ୍ୟସ୍ତରୀୟ ଏବଂ ୨ୟ ଶିଶୁ ନାଟକ ଉତ୍ସବ ବୁଧବାର ସଫଳତାର ସହ ଉଦଯାପିତ ହୋଇଯାଇଛି । ମଙ୍ଗଳବାର ଯାଏଁ ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ ମୋଟ ଛଅ ଗୋଟି ନାଟକ ପରିବେଷିତ ହୋଇଥିବା ବେଳେ ବୁଧବାର ଅନୁଷ୍ଠିତ ଦ୍ଵିତୀୟ ଶିଶୁ ନାଟକ ଉତ୍ସବ ଅବସରରେ ଏକା ଦିନରେ ତିନୋଟି ନାଟକ ମଂଚସ୍ଥ ହୋଇଛି । ନାଟକ ଗୁଡିକ ମଧ୍ୟରେ ପୁରୁଣା ବ୍ରହ୍ମପୁର ସ୍ଥିତ ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର ତରଫରୁ ନିର୍ମଳା ସାହୁଙ୍କ ରଚିତ ଓ ପ୍ରମିଳା ପାଢ଼ୀଙ୍କ ନିର୍ଦ୍ଦେଶିତ ନାଟକ “ଶିକ୍ଷାର ମହତ୍ତ୍ୱ”, ବ୍ରହ୍ମପୁର ନୁପୁର ଓ ପ୍ରୟାସ ତରଫରୁ ପ୍ରାଣବନ୍ଧୁ କରଙ୍କ ରଚିତ ନଳିନୀ କାନ୍ତ ଗୌଡ଼ଙ୍କ ନିର୍ଦ୍ଦେଶିତ ନାଟକ “ଶିଶୁ” ଏବଂ ବ୍ରହ୍ମପୁର ଅନ୍ୟଦୃଷ୍ଟି ତରଫରୁ ସୋମନାଥ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ବ୍ରାହ୍ମଣୀ ଆଖିରେ ଲୁହ” ପ୍ରମୁଖ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
ଉଦଯାପନୀ ସନ୍ଧ୍ୟାରେ ଓଡିଶା ନାଟକ ସମାରୋହର ସଭାପତି ଅନିଲ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସିନେ ଅଭିନେତା ତଥା ପୂର୍ବତନ ସାଂସଦ ବ୍ରହ୍ମପୁର ଡ଼ା ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାଜୁ ନିଗମ ଅଧକ୍ଷ ସୁବାସ ମହାରଣା, ଅନୁଷ୍ଠାନର ଆବାହକ ତଥା ସିପିଆଇଏମ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ଏବଂ ସ୍ଥାନୀୟ କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଅନୁଷ୍ଠାନର ସମ୍ପାଦକ ଶଙ୍କର୍ଷଣ ସାବତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମହୋତ୍ସବ କମିଟିର ଅଧକ୍ଷ ଡ଼.ମିହିର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ନାଟକ ହେଲେ ନୂତନ କଳାକାର ବାହାରିି ମଞ୍ଚ ନାଟକକୁ ଆଗେଇ ନେବାରେ ସହାୟ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ନାଟ୍ୟ ନିର୍ଦ୍ଦେଶକ ରାଜ ଗୋପାଳ ପାଢ଼ୀ, ଅନୁଷ୍ଠାନର ସାଧାରଣ ସମ୍ପାଦକ ସାପା ସୀମାଦ୍ରୀ, ମହୋତ୍ସବ କମିଟିର ଉପାଧ୍ୟକ୍ଷ ନାରାୟଣ ମହାଙ୍କୁଡ଼, କୈଳାସ ପାଣିଗ୍ରାହୀ, ସୁନୀଲ ସ୍ୱାଇଁ, ବିନାୟକ ହୋତା, ଆରତୀ ପାତ୍ର, ରବୀନ୍ଦ୍ର ନାୟକ ପ୍ରମୁଖଙ୍କ ସହ ଓଡିଶା ନାଟକ ସମାରୋହ ସମିତି ଏବଂ ବ୍ରହ୍ମପୁର କଳାକାର ଏକତା ମଞ୍ଚର କର୍ମକର୍ତ୍ତା ମାନେ ମିଳିତ ଭାବେ ସହଯୋଗ କରିଥିଲେ ।