ପୁଣି ଶ୍ରୀମନ୍ଦିର ଭିତରେ ପଶିଲେ ବିଦେଶୀ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀରେ ଉତ୍ପାତ କଲେ ବିଦେଶୀ ପର୍ଯ୍ୟଟକ। ନିଶାସକ୍ତ ଅବସ୍ଥାରେ ଶ୍ରୀ ମନ୍ଦିରରେ ପଶିବାକୁ କଲେ ଉଦ୍ୟମ କରୁଥିଲେ। ଅବରୋଧ କରିବାରୁ ଆକ୍ରମଣ କରିଥିଲେ। ପର୍ଯ୍ୟଟକଙ୍କ ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମଚାରୀ ଓ ଜଣେ ସେବାୟତ ଆହତ ହୋଇଛନ୍ତି।ତେବେ ପୋଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ହେଲେ ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଜଣକ ଥାନାରେ ମଧ୍ଯ ଉତ୍ପାତ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ଏହି ବିଦେଶୀ ପର୍ଯ୍ୟଟକଙ୍କ ନାମ ହେଉଛି ଥୋମାସ୍‌ କ୍ରେଜ୍‌ ସେଲଡନ୍‌। ଆଜି ସକାଳେ ମଧ୍ଯ ସେ ସ୍ୱର୍ଗଦ୍ୱାର ବେଳାଭୂମିରେ ନିଶା ଖାଇ ଉତ୍ପାତ କରୁଥିଲେ। ଏନେଇ ସ୍ଥାନୀୟ ଲୋକେ ସମୁଦ୍ର କୂଳ ଥାନାକୁ ଖବର ଦେଇଥିଲେ। ଏହାପରେ ପୋଲିସ ସେଠାରେ ପହଞ୍ଚି ତାଙ୍କୁ କାବୁ କରି ଥାନାକୁ ନେଇ ପଚରାଉଚରା କରି ଅଣ୍ଡର ଟେକିଂ ଲେଖାଇଥିଲା। ସେହି ମାମଲାରେ ସମୁଦ୍ର କୂଳ ଥାନା ପୁଲିସ୍‌ ତଦନ୍ତ କରୁଥିବା ବେଳେ ପୁଣି ଥରେ ମଧ୍ୟାହ୍ନରେ ଉତ୍ପାତ କରିଥିଲେ ଥୋମାସ୍‌।

ମଧ୍ୟାହ୍ନରେ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମକଲେ ଏହି ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଥୋମାସ୍‌ କ୍ରେଜ୍‌ ସେଲଡନ୍‌ କିନ୍ତୁ ଶ୍ରୀମନ୍ଦିର ବେହରଣ ଦ୍ୱାରରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ଅଟକାଇ ଥିଲେ। ହେଲେ ସେ ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଥୋମାସ୍‌ଙ୍କ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ପୋଲିସ କର୍ମଚାରୀ ଓ ଜଣେ ସେବାୟତ ଆହତ ହୋଇଥିଲେ। ଉପସ୍ଥିତ ଥିବା ଅନ୍ୟ ପୋଲିସ ମାନେ ତାଙ୍କୁ କାବୁ କରି ଟାଉନ୍‌ ଥାନାକୁ ନେଇଥିଲେ।ସେଠାରେ ମଧ୍ଯ ତାଙ୍କ ହରକତ କମି ନଥିଲା। ଟାଉନ୍‌ ଥାନା ପୁଲିସ୍‌ ଥୋମାସ୍‌ଙ୍କୁ ବସାଇ ରେକର୍ଡ ଯାଞ୍ଚ କରୁଥିଲେ। ଠିକ୍‌ ସେହି ସମୟରେ ଥୋମାସ ଥାନାର କାଚ ଝରକାକୁ ଭାଙ୍ଗି ପକାଇଥିଲେ। ପରେ ସେହି ଝରକାରେ ନିଜର ମୁଣ୍ଡ ଓ ହାତକୁ ବାଡେଇଥିଲେ। ଯେଉଁଥିପାଇଁ ସେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ତାଙ୍କୁ ଉଦ୍ଧାର କରି ପୁରୀ ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ପୋଲିସ ଥୋମାସ୍‌ଙ୍କ ସମ୍ପର୍କରେ ତଥ୍ଯ ଯାଞ୍ଚ କରୁଛି। ସେ କେବେ ପୁରୀ ଆସିଥିଲେ ଏପରି ହେବା ପଛରେ ତାଙ୍କର ଉଦ୍ଦେଶ୍ଯ କ’ଣ ରହିଛି ଇତ୍ୟାଦି।

Back to top button