11 ଦିନରେ ଶିକ୍ଷକ ଆନ୍ଦୋଳନ, ସ୍କୁଲରେ ପାଠ ପଢା ଠପ୍…

ଶିକ୍ଷକ ଆନ୍ଦୋଳନକୁ ଆଜି ୧୧ ଦିନ ହୋଇଗଲା । ହେଲେ ୩ ଦଫା ଦାବି ପୂରଣ ଜିଦରେ ଏ ଯାଏଁ ଅଟଳ ରହିଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ । ଏହାରି ଭିତରେ ଆଜି ଆନ୍ତଃ ମନ୍ତ୍ରିସ୍ତରୀୟ ଆଲୋଚନାକୁ ଶିକ୍ଷକ ସଂଘକୁ ଡାକରା ଆସିଥିଲା । ଅପରାହ୍ନ ଗୋଟାଏରେ ଆଜି ଶିକ୍ଷକଙ୍କ 3 ଦଫା ଦାବି ଉପରେ ଆଲୋଚନା ପାଇଁ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅଧ୍ୟକ୍ଷତା କରିଥିଲେ | ବୈଠକରେ ଯୋଗ ଦେବା ପାଇଁ ଶିକ୍ଷକ ସଂଘକୁ ଡାକରା ଆସିଥିବା ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଥିଲେ । 

ଅନ୍ୟପଟେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡିଛନ୍ତି ଅଭିଭାବକ । ତେଣୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ଅଭିଭାବକ । ଗତ ୮ ତାରିଖରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି । ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ୧୧ ତାରିଖରୁ ସାମୁହିକ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୫୦ ହଜାରରୁ ଅଧିକ ସ୍କୁଲର ପ୍ରାୟ ଦେଢ ଲକ୍ଷ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ । ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ପ୍ରତିଶ୍ରୁତି ନଦେଇଛନ୍ତି ସେପଯ୍ୟନ୍ତ ଆନ୍ଦୋଳନରୁ ନଓହରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ଯାଜପୁରରେ ପ୍ରାଥମିକ ଶିକ୍ଷକଙ୍କ ଅଭିନବ ପ୍ରତିବାଦ । ଆନ୍ଦୋଳନରତ ଶିକ୍ଷକମାନେ ଆଜି ମା’ ବିରଜାଙ୍କ ମନ୍ଦିରରେ ପହଞ୍ଚିଥିଲେ ।

ସେଠାରେ ଦୀପ ଦାନ କରି ପ୍ରତିବାଦ କରିଛନ୍ତି ଶିକ୍ଷକମାନେ । ଏଥିରେ ଯାଜପୁର ବ୍ଲକ ଶିକ୍ଷା ମଣ୍ଡଳ ଅଧିନରେ ଥିବା ଶିକ୍ଷକମାନେ ସାମିଲ ହୋଇଥିଲେ । ୧୦ ଦିନ ହେବ ଶିକ୍ଷକମାନେ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ବିରଜାଙ୍କ ମନ୍ଦିରରେ ପହଂଚି ପ୍ରତିବାଦ କରିଥିଲେ । ଗତକାଲି ବିଭିନ୍ନ ସ୍ଥାନକୁ ମନ୍ତ୍ରୀ ଓ ବିଧାୟକମାନେ ଯାଇ ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରି କର୍ମକ୍ଷେତ୍ରକୁ ଫେରିବାକୁ ଅନୁରୋଧ କରିଥିଲେ । ମାତ୍ର ଶିକ୍ଷକମାନେ ଦାବି ପୂରଣ ପାଇଁ ଅଡି ବସିଛନ୍ତି । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।