ଏବେ ସାରା ରାଜ୍ୟରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ । ଏହି ରୋଗ ଆକ୍ରାନ୍ତରେ ଯାଉଛି ଜୀବନ । ଦୁଇ ଦିନରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ , ସୁନ୍ଦରଗଡ଼ରେ ବୃଦ୍ଧି ପାଉଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ୪୮ ଘଣ୍ଟା ମଧ୍ୟରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା କଲାବେଳେ ଏଥିରେ ୧୪ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିଲେ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୪କୁ ବୃଦ୍ଧି ପାଇଛି । ଏହି ରୋଗରେ ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆକ୍ରାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ହେଉଥିବାର ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତେବେ ସଂକ୍ରମଣ ରୋକିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି ।
ରାଜ୍ୟର ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ଏହି ସଂକ୍ରମଣ ବଢୁଛି । ଏହି ରୋଗର ନିରାକରଣ ପାଇଁ ଏହି ଦୁଇଟି ଜିଲ୍ଲାକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ପଠାଯାଇଛି । ସ୍କ୍ରବ୍ ଟାଇଫସ୍ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ସୁନ୍ଦରଗଡ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଯାଉଛି। ଏହି ରୋଗ ବିଷୟରେ ସଚେତନତା ପାଇଁ ସ୍ୱାସ୍ଥ୍ୟ ବିଭାଗ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା (ASHA) ଏବଂ ସହାୟକ ନର୍ସ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । ‘ଚିଗର’ ପୋକ କାମୁଡ଼ିଲେ ସ୍କ୍ରବ ଟାଇଫସ ରୋଗ ହୋଇଥାଏ । ପ୍ରଥମେ ରୋଗୀ ଶରୀରରେ ଘା ଭଳି ସୃଷ୍ଟି ହୁଏ ଓ ତାପରେ ଘା ଚାରିପାଖ ନାଲି ପଡ଼ିଯାଏ । ଧୀରେ ଧୀରେ ମଝି ଅଂଶ କଳା ପଡ଼ିଯାଏ । ରୋଗୀଙ୍କୁ ଜ୍ୱର ହେବା ସହ ଦେହ ହାତ ଘୋଳାବିନ୍ଧା ହୁଏ । ଏଭଳି ଲକ୍ଷଣ ଦେଖାଗଲେ, ତୁରନ୍ତ ସ୍କ୍ରବ ଟାଇଫସ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।