ସବୁ କଳ୍ପନା ଜଳ୍ପନାର ଅନ୍ତ । ଜାଗୃତିଙ୍କୁ ବିବାହ କରିବେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଗତକାଲି ରାଜ୍ୟ ବାହାରେ ଉଭୟଙ୍କ ନିର୍ବନ୍ଧ ହୋଇଛି  । ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି ହେବାକୁ ପ୍ରତିଶୃତି ବଦ୍ଧ । ଉଭୟ ଉଭୟଙ୍କ ହାତଧରି ହୋଇଯିବେ ସାତ ଜନମର ସାଥି । ଆସନ୍ତା ୧୧ ତାରିଖରେ ବାହାଘର ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ଜାଗୃତି ଶୁକ୍ଳା ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିର୍ବନ୍ଧର ଦୁଇଟି ଫଟୋ ସେୟାର କରିଛନ୍ତି । ନିଜ ବେଷ୍ଟ ଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କରିଥିବା ପୋଷ୍ଟରେ ଲେଖିଛନ୍ତି । ଦୁଇ ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ନିର୍ବନ୍ଧ ସମାପନ ହୋଇଛି । ଉଭୟଙ୍କ ନିର୍ବନ୍ଧ ଫଟୋ ବିଭିନ୍ନ ସିନେମା ହ୍ୱାଟ୍‌ସ୍‌ ଆପ୍‌ ଗ୍ରୁପ୍‌ ସହ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌  କରାଯାଇଛି ଓ ଫ୍ୟାନ୍‌ମାନେ ଶୁଭେଚ୍ଛା ଜଣାଉଛନ୍ତି । ବାହାଘର ରାଜସ୍ଥାନରେ  ହେବା ବୋଲି ଚର୍ଚ୍ଚା ହେଉଛି ।

ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ । ପୂର୍ବରୁ ଜାଗୃତିଙ୍କୁ ନେଇ ଚର୍ଚ୍ଚା ଲାଗିରହିଥିଲା । ୨୦୧୪ ଫେବ୍ରୁଆରୀରେ ଅନୁଭବ ଓ ବର୍ଷାଙ୍କ ବାହାଘର ହୋଇଥିଲା । ପରେ ୨୦୨୩ ଡିସେମ୍ବର ୨୧ ତାରିଖରେ ବିବାହ ବିଚ୍ଛେଦ ହୋଇଥିଲା । ଏହାପୂର୍ବରୁ ଜାଗୃତିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା । ବାରମ୍ବାର ଓଡ଼ିଶା ଆସୁଥିଲେ ଜାଗୃତି ଶୁକ୍ଳା । ନିକଟରେ ଅନୁଭବଙ୍କ ଉପରେ ଲେଖିଥିବା ଜୀବନୀ ମଧ୍ୟ ରିଲିଜ୍ ହୋଇଥିଲା ।

ତେବେ ଜାଗୃତି ଶୁକ୍ଲାଙ୍କ ବାବଦରେ ପ୍ରାୟ ସମସ୍ତେ ଉଣା ଅଧିକ ଜାଣନ୍ତି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ତାଙ୍କ ନାମ ଓ ଚେହେରା ଗଣମାଧ୍ୟମ ଏବଂ ଲୋକଙ୍କ ସାମ୍ନାକୁ ଆସିଥିଲା । ସେହି ସମୟରେ ଜାଗୃତିଙ୍କୁ ନେଇ ବହୁ ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା ।  ଏପରିକି କେହିକେହି ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦର କାରଣ ଜାଗୃତିଙ୍କୁ ବୋଲି ଧରି ନେଇଥିଲେ । ବର୍ତ୍ତମାନ ବିବାହ ଖବର ଶୁଣି ସୁପରଷ୍ଟାରଙ୍କ ଫ୍ୟାନମାନେ ଯେତେ ଖୁସି ଅଛନ୍ତି ତା’ଠାରୁ ଅଧିକ ଆଶ୍ଚର୍ଯ୍ୟ ଅଛନ୍ତି ଓଡ଼ିଶାବାସୀ । କେବେ ବି ବିବାହ ପ୍ରସଙ୍ଗକୁ ସିଧା ସିଧା ସ୍ବୀକାର କରି ନ ଥିବା ଏହି ଦୁଇ ଚର୍ଚ୍ଚିତ ଚେହେରା କାହିଁକି ବିବାହ କରିବାକୁ ଯାଉଛନ୍ତି? ବିବାହ ଯୋଜନା କେବେଠୁ ହୋଇଛି? ଆଗାମୀ ଦିନରେ ଏମିତି ବହୁ ପ୍ରଶ୍ନର ସାମ୍ନା କରିପାରନ୍ତି ଅନୁଭବ ଆଉ ଜାଗୃତି ।