ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଓ ଦାନ୍ତେୱାଡାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଭିନ୍ନ ଭିନ୍ନ ଅପରେସନରେ ୨୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏହି ଅପରେସନ ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଯେଉଁଠି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ସେହି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ବଡ଼ ଧରଣର କ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ କରିଥିଲା ପୋଲିସ।
ଏନକାଉଣ୍ଟରରେ ମାଓବାଦୀଙ୍କ ବଡ଼ କ୍ଷତି ହୋଇଥିବା ଜଣାପଡ଼ିଛି । ଏବେବି ଗୁଳିବିନିମୟ ଜାରି ରହିଥିବା ବିଜାପୁର ପୋଲିସ ସୂଚନା ଦେଇଛି । ସୂଚନା ମୁତାବକ ଗୁରୁବାର ସକାଳେ ସୁରକ୍ଷାକର୍ମୀଙ୍କ ୨ଟି ଟିମ୍ ବିଜାପୁର ଓ ଦାନ୍ତେୱାଡା ନିକଟ ଗଙ୍ଗାଲୁର ଥାନା ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ । ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ମାଓବାଦୀମାନେ ଗୁଳି ଚଳାଇଥିଲେ ।
ଏହାର ଜବାବରେ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ । ଏହି ଗୁଳିବିନିମୟରେ ୨୨ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ସେହିପରି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ପୋରଣ ହୋଇଛି । STF ଏବଂ DRG ଯବାନ ମାଓ ଦମନ ପାଇଁ କମ୍ବିଂ ଅପରେସନରେ ଯାଇଥିବା ବେଳେ ମାଓବାଦୀ କରିଥିଲେ IED ବିସ୍ପୋରଣ । ଏହି ଘଟଣା ପରେ ଅବୁଝମାଡ଼ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
Social Footer