ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ଖରା । ୩୯ ଡିଗ୍ରୀ ଛୁଇଁଲା ପାରଦ । ଏବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା । ଗତକାଲି ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିଛି । ଝାରସୁଗୁଡ଼ାରେ ସ୍ବାଭାବିକ ତାପମାତ୍ରା ଠାରୁ ୪.୨ ଡିଗ୍ରୀ ଅଧିକ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪ଡିଗ୍ରୀ ଅଧିକ ରହିଛି ।
ମାର୍ଚ୍ଚ ୫ ତଥା ବୁଧବାର ଆଜି ମଧ୍ୟ ତାତି ଲାଗିରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ପାରଳାଖେମୁଣ୍ଡି, ବୌଦ୍ଧ ସହରର ତାପମାତ୍ରା ୩୮ ଡିଗ୍ରି ଉପରେ ରହିପାରେ । ଭୁବନେଶ୍ବର ବ୍ୟତୀତ ଉପକୂଳର ଅନ୍ୟ ସମସ୍ତ ସହରରେ ପାରଦ ୩୫ ଡିଗ୍ରି ଭିତରେ ରହିବାର ସମ୍ଭାବନା ରହିଛି । ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ମାର୍ଚ୍ଚ ୬ ଓ ୭ ତାରିଖରେ ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ କମିବ ଏବଂ ୮ ତାରିଖଠାରୁ ପୁଣିଥରେ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମାର୍ଚ୍ଚ ଆରମ୍ଭରୁ ରେକର୍ଡ କଲାଣି ତାତି । ଏଥର ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ତାତି ସହ ଗ୍ରୀଷ୍ମପ୍ରବାହ ହେବ ବୋଲି ଆଇଏମଡି ଚେତାବନୀ ଦେଇଛି।
ଅନ୍ୟପଟେ ଏବର୍ଷ ଖରା ଓ ଗୁଳୁଗୁଳି ଅଧିକ ଦିନ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । ବିଏମସିର ନିଷ୍ପତ୍ତି ଅନୁସାରେ, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ କାମ ବନ୍ଦ ରହିବ । ଏହି ସମୟରେ ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ । ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଶଙ୍କା ଥିବାରୁ ଏପରି ନିର୍ଦ୍ଦେଶ ଜାରି କରିଛି ବିଭାଗ । ଯଦି କୌଣସି କାର୍ଯ୍ୟ ଜରୁରୀ ମନେ ହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ତେବେ ସତର୍କମୂଳକ ପଦକ୍ଷେପ ନିଆଯିବ ।
Social Footer