ରାଜଧାନୀର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା । ଆଜି କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ଡିସିପି ମୀନା । ଦାୟିତ୍ବ ନେବା ପରେ ନିଜର ଅଭିଭାଷଣରେ ମୀନା କହିଛନ୍ତି, ଅପରାଧ ତଦନ୍ତ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ବ ଦିଆଯିବ । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ । ଏଥିସହିତ ସିସିଟିଭି ସର୍ଭିଲାନ୍ସ ବଢ଼ାଯିବ, ସାଇବର ଥାନାଗୁଡିକୁ ସୁଦୃଢ଼ କରାଯିବ । ନବ ନିଯୁକ୍ତ କନଷ୍ଟେବଳଙ୍କୁ ବ୍ୟବହାର କରି ସିସିଟିଏନଏସ୍‌କୁ ସୁଦୃଢ଼ କରାଯିବ ବୋଲି ମତ ରଖିଛନ୍ତି ନୂଆ ଡିସିପି ।

ତେବେ ୨୦୧୨ର ଆଇପିଏସ୍‌ ଜଗନମୋହନ ମୀନା, ପ୍ରଥମେ ୨୦୧୩ରେ କଳାହାଣ୍ଡି ଜିଲ୍ଲାରେ ଏସ୍‌ଡିପିଓ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୧୭ ମସିହାରେ ଏସ୍‌ପି ଭାବେ ପ୍ରଥମେ ମାଲ୍‌କାନଗିରିରେ ଯୋଗଦେଇଥିଲେ । ସେଠାରେ ଦୁଇବର୍ଷ କାର୍ଯ୍ୟ କରିବା ପରେ  ୨୦୧୯ ମସିହାରେ ଅନୁଗୁଳ ଜିଲ୍ଲା ଏସ୍‌ପି ଭାବେ ଯୋଗଦେଇଥିଲେ । ୨୦୨୩ରେ ସେ ଗଞ୍ଜାମ ଏସ୍‌ପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ସେଠାରେ ସେ ବର୍ଷେ ୯ମାସ କାର୍ଯ୍ୟ କରିବା ପରେ ଗତ ସେପ୍ଟେମ୍ବରରେ କଟକ ଡିସିପି ଭାବେ ଦାୟିତ୍ବ ନେଇଥିଲେ । ଏହି ନିକଟରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ କରିବା ପରେ ଏବେ ସେ ଭୁବନେଶ୍ବର ଡିସିପି ଭାବରେ ନିଯୁକ୍ତ ହୋଇଛନ୍ତି ।

ବର୍ତ୍ତମାନ ରାଜଧାନୀର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ଟ୍ରାଫିକ୍‌ ସମସ୍ୟା, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଆଦି ପ୍ରସଙ୍ଗ ବଡ଼ ଆହ୍ବାନ ରହିଥିବା ବେଳେ ଏହାକୁ କିପରି ଡିସିପି ମୀନା ସାମ୍ନା କରିବେ ତାହା ଉପରେ ସମସ୍ତଙ୍କ ନଜର । ଏଥିସହିତ ରାଜଧାନୀରେ ଭିଭିଆଇପି ସୁରକ୍ଷା ଓ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ଆଦିକୁ ସମ୍ଭାଳିବା ମଧ୍ୟ ନୂଆ ଡିସିପିଙ୍କ ପାଇଁ ବଡ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିବ ।