ଚଳିତ ବର୍ଷ ଆଗାମୀ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସମ୍ପନ୍ନ ହେବ। ନୀତି ସମ୍ପାଦନ ଦୃଷ୍ଟିରୁ ଛତିଶା ନିଯୋଗର ପରାମର୍ଶ କ୍ରମେ ଫଗୁ ଦଶମୀ ଠାରୁ ହୋଲି ଉତ୍ସବ ପର୍ଯ୍ୟନ୍ତ ସାତ ଦିନ ଧରି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ଗତ ଡିସେମ୍ବର ମାସରୁ ରତ୍ନଭଣ୍ଡାର ମରାମତି ଆରମ୍ଭ ହୋଇଥିବା ବେଳେ, ଫେବୃୟାରୀ-ମାର୍ଚ୍ଚ ଭିତରେ ସାରିବାକୁ ସ୍ଥିର ହୋଇଥିଲା । କିନ୍ତୁ ଏହି ସମୟ ଭିତରେ ସରିବ ନାହିଁ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଶ୍ରୀଜିଉଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଭିଡ଼ ଯୋଗୁ ମରାମତିରେ ବାଧା ସୃଷ୍ଟି ହେଉଛି । କାମ ତ୍ୱରାନ୍ୱିତ ହୋଇପାରୁନାହିଁ । ତେବେ ନୀତି ସଅଳ ସାରିବାକୁ ଚେଷ୍ଟା କରୁଥିବା ସେବାୟତ କହିଛନ୍ତି ।

ଭିତର ରତ୍ନଭଣ୍ଡାରର ମରାମତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଟାଣ ମରାମତି ଓ ଗ୍ରାଉଟିଂ ସରିଥିବା ବେଳେ କାନ୍ଥରେ ଖରାପ ପଥର ବଦଳାଇ ଲଗାଯାଇଛି ନୂଆ ପଥର । ବାହାର ରତ୍ନଭଣ୍ଡାର କାନ୍ଥରେ ଚୂନ ଛଡ଼ା ଯାଉଛି । ମରାମତି ଅତି ଗୁରୁତ୍ୱପୂର୍ଣ୍ଣ କାମ ହୋଇଥିବାରୁ ବିଳମ୍ବ ହେଉ ପଛେ ଠିକ୍ ଭାବରେ କାମ କରାଯାଉଛି ବୋଲି ଏଏସ୍ଆଇ ଅଧୀକ୍ଷକ କହିଛନ୍ତି ।