ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାମାନଙ୍କ ଆକାଉଣ୍ଟକୁ ୨ୟ କିସ୍ତି ଅର୍ଥ ଛାଡ଼ିଛନ୍ତି । ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କିସ୍ତି ଟଙ୍କା ପ୍ରଦାନ କରିଛନ୍ତି । ଆଜି ପାଖାପାଖି ୧ କୋଟି ୬୪ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏ ୫ ହଜାର କୋଟି ଟଙ୍କା ପ୍ରେରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ ।

ସେହିପରି ମାର୍ଚ୍ଚ ୬ ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଦେଇଥିଲେ ସରକାର । ଆଉ ଏବେ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆନ୍ତର୍ଜାତୀୟ ମହିଳା ଦିବସରେ କୋଟିଏରୁ ଅଧିକ ମହିଳାଙ୍କୁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡ଼ା ମାର୍ଚ୍ଚ ୩୧ ତାରିଖ ରହିଛି ସୁଭଦ୍ରା ଆବେଦନର ଶେଷ ତାରିଖ। ଧାର୍ଯ୍ୟ କରାଯାଇଥିବା ତାରିଖ ସୁଦ୍ଧା ଆବେଦନ କରିଥିଲେ ରାକ୍ଷୀ ପୂର୍ଣ୍ଣମୀରେ ପାଇବେ ଏକାଥରେ ୧୫ ହଜାର ଟଙ୍କା । ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବାଦ୍‌ ପଡ଼ିବେନି ତାକୁ ଗୁରୁତ୍ୱ ଦେଇ ସରକାର ସବୁପ୍ରକାର ଅନୁକୂଳ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।