ଆଜି ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୫ ଘଣ୍ଟା ଅର୍ଥାତ ଅପରାହ୍ନ ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମଧ୍ୟାହ୍ନ ଧୂପ ପରେ ନୀତି ଅନୁଷ୍ଠିତ ହେବ । ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହେବ । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରିବେ । ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯିବ ।
ତେବେ ପରମ୍ପରା ଅନୁସାରେ ସ୍ୱତନ୍ତ୍ର ଦେବବିଧି ଅନୁସାରେ ଶ୍ରୀମନ୍ଦିରରେ ରାମନବମୀ ପାଳନ ହେବ । ଯେଉଁଥିପାଇଁ ଅପରାହ୍ନ ୫ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହେବେ । ଏପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରାମନବମୀ ଅବସରରେ କଟକ କରତକଳରେ କାଠ ଚିରଟ କାର୍ଯ୍ୟର ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମାଳ ମାହାର୍ଦ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଏକ ପ୍ରତିନିଧି ଦଳ କଟକ ଖପୁରିଆ ଅଭିମୁଖେ ଯାତ୍ରା କରିବେ।
Social Footer