5ଟି ସଚିବଙ୍କ କେନ୍ଦ୍ରାପଡ଼ା ଗସ୍ତ

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପାଣ୍ଡିଆନ ଆଜି ବଳଦେବଜୀଉ ମନ୍ଦିର, ଗୋଲରା ହାଟସ୍ଥିତ ଦଧିବାମନ ଜିଉ ମନ୍ଦିର ଓ ରାମନଗର ଠାରେ ଥିବା ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ବଳଦେବଜିଉ ମନ୍ଦିର ଟ୍ରଷ୍ଟବୋର୍ଡ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରି ଏହାର ଅଧିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ DPR ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଦଧିବାମନଜୀଉ ଓ ରାମଚଣ୍ଡୀ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଡିପିଆର ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ମହାକାଳପଡା ବ୍ଲକ୍‌ସ୍ଥିତ ଅଡୋଇଠାରେ ପ୍ରସ୍ତାବିତ ଆର୍ସେଲର ମିତ୍ତଲ ଷ୍ଟିଲ୍ ପ୍ଲାଣ୍ଟ ଅଞ୍ଚଳ ପରିଦର୍ଶନ କରିଥିଲେ। ବିଭିନ୍ନ ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପର ପ୍ରାକ୍ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ। ଏହି କାମ ତୁରନ୍ତ ଆରମ୍ଭ କରିବାକୁ ସେ ଜିଲ୍ଲାପାଳ ଓ ପ୍ଲାଣ୍ଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାର୍ଶାଘାଇ-ଜମ୍ବୁ କେନାଲ ରାସ୍ତାର ପ୍ରସ୍ତାବିତ ସଂପ୍ରସାରଣ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ । କେନ୍ଦ୍ରପଡା ସର୍କିଟ ହାଉସରେ ଶ୍ରୀ ପାଣ୍ଡିଆନ ପ୍ରାୟ ୧୩୦ଟି ନାଗରିକ ସମାଜ, ବିଭିନ୍ନ ସଂସ୍ଥା ଓ ସଂଘମାନଙ୍କ ସହ ଆଲୋଚନା କରି ଜିଲ୍ଲାର ବିକାଶ ଓ ଲୋକ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଜିଲ୍ଲାସ୍ତରରେ ଯେଉଁସବୁ ସମସ୍ୟାର ସମାଧାନ ହୋଇପାରିବ, ତା’ର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।