• ଗୋଟେ ଖଣ୍ଡା, ୭୦ ଗ୍ରାମ ସୁନା, ଦୁଇଟି ଗାଡି ଓ ୭ଟି ମୋବାଇଲ୍ ଜବତ କରିଛି ବଡ଼ ବଜାର ପୋଲିସ ।
ବ୍ରହ୍ମପୁର, ୧୭/୫ (ଅଭିଜିତ କର ): ବଡ଼ ବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାର ଠାରେ ଗତ ୬ ତାରିଖ ରାତିରେ ଜଣେ ବସ୍ ହକର୍ ସନାତନ ଚୌଧୁରୀଙ୍କୁ ହତ୍ୟା କରାଯାଇଥିଲା । ଉକ୍ତ ଘଟଣାରେ ସମ୍ପୃକ୍ତ ୬ଜଣ ଅଭିଯୁକ୍ତଙ୍କୁ ବଡ଼ ବଜାର ଥାନା ପୁଲିସ ଗିରଫ କରିଛି, ସେନେଇ ଆଜି ବ୍ରହ୍ମପୁର ଏସପି ସର୍ଵନା ବିବେକ ଏମ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଘଟଣାର ଅନୁସନ୍ଧାନ ସୂଚନା ଦେଇଛନ୍ତି । ଉକ୍ତ ସମ୍ମିଳନୀରେ ସେ ସୂଚନା ପ୍ରକାଶ କରିଛନ୍ତି ଯେ, ଅଭିଯୁକ୍ତ ମାନେ ନୂଆ ବସ୍ ଷ୍ଟାଣ୍ଡରୁ ସନାତନଙ୍କୁ ଫୋଲୋ କରି ଆଚାର୍ଯ୍ୟ ବିହାର ରାସ୍ତାରେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମାନେ ମୃତକଙ୍କ ବେକରୁ ସୁନା ଚେନ୍ ଲୁଟ୍ କରିଥିଲେ। ଏଥିରେ ବ୍ୟବହୃତ ଲୁହା ଖଣ୍ଡା, ମୋବାଇଲ୍ ଫୋନ୍, ମୋଟରସାଇକେଲ୍ ଏବଂ ଲୁଟ୍ ହୋଇଥିବା ସୁନା ଚେନ୍ ଉଦ୍ଧାର କରି ଅଭିଯୁକ୍ତଙ୍କ ନିକଟରୁ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଦିଗପହଣ୍ଡି ଥାନା ଅଞ୍ଚଳର ପ୍ରସାନ୍ତ ସାହୁ(୨୦), ଖୋର୍ଦ୍ଧା ଜିଲ୍ଲାର ପ୍ରକାଶ ଖୋଟୁଆ (୧୯), ଗୋପାଳପୁର ଥାନା ଅଞ୍ଚଳେ ଶିବ ନାୟକ (୨୫), ବଡ଼ ବଜାର ଥାନା ଅଞ୍ଚଳର କାଳିଆ ସାହୁ (୨୭), ରାମ ରାଉଳ (୧୯) ଓ ଗୋଳନ୍ଥରା ଥାନା ଅଞ୍ଚଳର ରାହୁଲ ପଣ୍ଡା (୨୦) ପ୍ରମୁଖଙ୍କୁ ଗିରଫ କରାଯାଇଛି ।
ଏହି ମାମଲାରେ ସେମାନଙ୍କ ଠାରୁ ଗୋଟିଏ ଲୁହା ଖଣ୍ଡା, ଗୋଟିଏ ୭୦ଗ୍ରାମର ସୁନା ଚେନ, ସାତଟି ମୋବାଇଲ୍ ଫୋନ, ଦୁଇଟି ଗାଡି ଯଥା ଗୋଟିଏ ହିରୋ ଇମ୍ପୁଲ୍ସ OR07Y8272 ବାଇକ୍, ଓ ୟାମହା ଫସିନୋ OD07X5058 ସ୍କୁଟି ଜବତ କରାଯାଇଛି । ସୂଚନା ଯୋଗ୍ୟ ଯେ, ଚଳିତ ମାସ ୬ ତାରିଖ ରାତି ୧୦.୩୦ ସମୟରେ ମୃତକଙ୍କ ପତ୍ନୀ ଲିଖିତ ଭାବରେ ଜଣାଇ ଥିଲେ ଯେ, ସେହିଦିନ ରାତି ପ୍ରାୟ ୮.୩୦ ସମୟରେ ତାଙ୍କ ସ୍ୱାମୀ ଆଚାର୍ଯ୍ୟ ବିହାର ରାସ୍ତାରେ କିଛି ଅଜଣା ଅପରାଧୀଙ୍କ ଦ୍ୱାରା ଅତି ନିର୍ମମ ଭାବେ ଆକ୍ରମଣ ହୋଇଥିଲେ। । ଆକ୍ରମଣ ଯୋଗୁଁ ତାଙ୍କ ସ୍ୱାମୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହି ଅବସରରେ ଅଭିଯୁକ୍ତ ମାନେ ତାଙ୍କ ସ୍ୱାମୀଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଇଥିଲେ। ଉକ୍ତ ମାମଲାକୁ ଏସଡିପିଓ ଟାଉନ୍, ବଡ଼ ବାଜାର ଆଇଆଇସି ପ୍ରଶାନ୍ତ ଭୂପତି, ଇନ୍ସପେକ୍ଟର ବିବେକାନନ୍ଦ ସ୍ବାଇଁ, ଏସଆଇ ରଣଜିତ ଦାଶଙ୍କୁ ନେଇ ଦୁଇଟି ଟିମ୍ ଗଠନ କରାଯାଇଥିଲା, ଯେଉଁମାନେ ଏହି ମାମଲାରେ ଅକ୍ଲାନ୍ତ ପରିଶ୍ରମ କରିବା ପରେ ମାମଲା ଚିହ୍ନଟ କରିଥିଲେ। ଅନୁସନ୍ଧାନ ସମୟରେ, ସିସିଟିଭି ଫୁଟେଜ ଉପରେ ଆଧାର କରି ଫେରାର ରାସ୍ତା ଉପରେ ଅନୁସନ୍ଧାନ କରାଯାଇଥିଲା, ଯାହା ଦ୍ଵାରା ଅଭିଯୁକ୍ତ ମାନେ ଚିହ୍ନଟ ହୋଇଥିଲେ। ଅନୁସନ୍ଧାନ ବେଳେ ଜଣାପଡିଛି ଯେ, ଏହି ହତ୍ୟାରେ ତିନି ଜଣ ପ୍ରଶାନ୍ତ ସାହୁ, ପ୍ରକାଶ ଖଟୁଆ ଏବଂ ଶିବ ନାୟକ ସମ୍ପୃକ୍ତ ଅଛନ୍ତି।
ସେଥି ମଧ୍ୟରେ ବର୍ତ୍ତମାନ ବ୍ରହ୍ମପୁର ସର୍କଲ ଜେଲରେ ଥିବା ଅଭିଯୁକ୍ତ ପ୍ରସାନ୍ତ ସାହୁଙ୍କ ବଡ ଭାଇ ପ୍ରଦୀପ ସାହୁ ଏହି ହତ୍ୟାକାଣ୍ଡ ପାଇଁ ଅଭିଯୁକ୍ତ ପ୍ରସନ୍ନ ସାହୁ ଏବଂ ତାଙ୍କ ସହଯୋଗୀ ମାନେ ସନାତନ ଚୌଧୁରୀଙ୍କୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲେ। ଏହାସହ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟକୁ ପଠା ଯାଇଛି ଏବଂ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି।