ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଟାଙ୍ଗୀରେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ

ବାଲୁଗାଁ,09/10:ବନ୍ୟ ଜନ୍ତୁ ଏବଂ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ଵାରୋପ କରିବା ମନୁଷ୍ୟ ସମାଜ ପାଇଁ ଅନିର୍ଵାର୍ଯ୍ୟ l ଏହି ପ୍ରାକୃତିକ ସମ୍ବଳର ଅବକ୍ଷୟତା ପ୍ରକୃତି ସନ୍ତୁଳନ ରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ l ତେଣୁ ପ୍ରାକୃତିକ ସମ୍ବଳର ସୁରକ୍ଷା ନିମନ୍ତେ ପ୍ରତ୍ୟେକ ସ୍ତରରେ ସତେତନା ଏବଂ ଗୁରୁତ୍ୱ ବୋଧର ଆବଶ୍ୟକତା ରହିଛି l ଏହି ପରି ପ୍ରେକ୍ଷୀରେ ପ୍ରତ୍ୟେକ ବର୍ଷ ଅକ୍ଟୋବର ଦୁଇ ତାରିଖ ରୁ ଆଠ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାବୀ ବନ୍ୟ ପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ କରାଯାଇଥାଏ l ତେବେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଡିଭିଜନ ପକ୍ଷରୁ ଟାଙ୍ଗୀ ବ୍ଲକ କନ୍ଫେରନ୍ସ କକ୍ଷରେ ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ନିମିତ୍ତ 69ତ୍ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି ।ଏହି ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ଅତିଥି ଭାବରେ ପୁର୍ବତନ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଯୁଗୋଳ କିଶୋର ଦାସ , ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପିନାଥ ମହାରଣା , ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର ମୂଖ୍ୟ ତଥା DFO ଅମ୍ଲାନ କୁମାର ନାୟକ , ବରିଷ୍ଠ ସମାଜସେବୀ ତଥା ପରିବେଶବିତ୍ ଧନେଶ୍ୱର ବିଧାର ଓ ଶୁଳପାଣି ଶତପଥୀ , ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର ACF ଶତାବ୍ଦୀ ମିଶ୍ର ଓ ପ୍ରମୋଦ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ , ସମାଜସେବୀ , ବୁଦ୍ଧିଜୀବୀ , ଯୁବଗୋଷ୍ଠୀ , ଆଇନଜୀବୀ ଛାତ୍ରଛାତ୍ରୀ ଶିକ୍ଷକ-ଶିକ୍ଷୟିତ୍ରୀ , ପକ୍ଷୀ ସୁରକ୍ଷା ବାହିନୀ ,ମୋଟର ବୋଟ୍ ଆସୋସିଏସନ ସାମିଲ ହୋଇଥିଲେ l

ଏହି ଅବସରରେ ଚକୁଳିଆ ପଣ୍ଡା ଗୀତ ଏବଂ ପାଲା ର ଅଭିନୟ ମାଧ୍ୟମରେ ବନ୍ୟପ୍ରାଣୀ ସପ୍ତାହ ପାଳନ ସମ୍ପର୍କରେ ଆଲୋଚନା ଓ ସଚେତନତା ସୃଷ୍ଟି କରା ଯାଇଥିଲା । ବନ୍ୟପ୍ରାଣୀ ମାନଙ୍କୁ ସୁରକ୍ଷା ଓ ଚିଲିକାକୁ ଶୀତ ଋତୁରେ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ସାମ୍ବାଦିକ ଓ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ବନପାଳ ସୁଜିତ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।